୧୦,୬୬୧ ନିଯୁକ୍ତି ସୁଯୋଗ ସୃଷ୍ଟି – ବାୟୋଫୁଏଲ୍ ରେ ହେବ ବଡ଼ ନିବେଶ – ପର୍ଯ୍ୟଟନ କ୍ଷେତ୍ରରେ ୫ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର,୨୯/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାରେ ଶିଳ୍ପ ନିବେଶ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ । ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସଡବଲୁସିଏ ବୈଠକରେ ୧୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୩,୨୮୦.୫୮ କୋଟି ଟଙ୍କାର ନିବେଶ ହେବା ସହ ୧୦,୬୬୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବୈଠକରେ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ଟେକ୍ସଟାଇଲ ଓ ଆପାରେଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଡାଉନଷ୍ଟ୍ରିମ, ଗ୍ଲୋବାଲ କ୍ୟାପାବିଲିଟି ସେଂଟର, ବାୟୋଫୁ୍ୟଏଲ, କେମିକାଲ୍ସ, ସର୍କୁଲାର ଇକୋନୋମି, ପ୍ଲାଷ୍ଟିକ୍ସ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ରହିଛି । ପ୍ରକଳ୍ପଗୁଡ଼ିକ ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲାରେ ସ୍ଥାପିତ ହେବ ।
ଏହାସହ ଏକ ବାୟୋଫୁ୍ୟଏଲ୍ ପ୍ରକଳ୍ପ ୮ଟି ଜିଲାରେ କାର୍ଯ୍ୟକାରୀ ହେବ । ଖୋର୍ଦ୍ଧାରେ ଡଲାର ଇଣ୍ଡଷ୍ଟ୍ରିଜ ୧୨୫ କୋଟି ଟଙ୍କା ବ୍ୟୟରେ ଇଂଟିଗ୍ରେଟେଡ୍ ହୋଜିଅରୀ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରିବ । ଏଥିରେ ୧,୧୮୫ଟି ନିଯୁକ୍ତି ସୁଯୋଗ ରହିବ । ସେହିପରି ପୁରୀରେ ସାଇ ୱର୍କୱେୟାର ପ୍ରାଇଭେଟ୍ ଲିମିଟେଡ ୫୯ କୋଟି ଟଙ୍କା ନିବେଶରେ ଟେକ୍ନିକାଲ୍ ଟେକ୍ସଟାଇଲ୍ ମାନୁଫାକ୍ଚରିଂ ୟୁନିଟ୍ କରିବ । ଏଥିରେ ୩,୬୫୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଖୋର୍ଦ୍ଧାରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଲିମିଟେଡ ୧୨୦ କୋଟି ଟଙ୍କାରେ ସ୍ନାକ୍ସ, ସାଭୋରୀ ଓ ନମକିନ୍ ଉତ୍ପାଦନ ପାଇଁ ଏକୀକୃତ କାରଖାନା ସ୍ଥାପନ କରିବ । ଏଥିରେ ୩୫୦ଟି ନିଯୁକ୍ତି ମିଳିବ ।
କଟକରେ ଜୟ ଭବାନୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ ୧୦୦ କୋଟି ଟଙ୍କାରେ ଫୁଡ୍ ଓ କନଫେକ୍ସନେରୀ କୋ-ପ୍ୟାକେଜିଂ ୟୁନିଟ୍ କରିବ । ଏଥିରେ ୫୫୦ ଜଣଙ୍କ ନିଯୁକ୍ତି ସମ୍ଭାବନା ରହିଛି । ଦେବଗଡ଼ରେ ଏସପିଏସ୍ ଅରିହନ୍ତ ଷ୍ଟିଲ୍ ଷ୍ଟ୍ରକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ୧୪୦ କୋଟି ଟଙ୍କା ନିବେଶରେ ଷ୍ଟିଲ୍ ଆଇ-ଗର୍ଡର, ବକ୍ସ ବିମ, ଫାଷ୍ଟେନର, ଟିଏମ୍ଟି ରିବାର୍ କପ୍ଲର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିରେ ୫୯୫ଟି ଚାକିରି ସୃଷ୍ଟି ହେବ ।
ସୁନ୍ଦରଗଡ଼ରେ ଷ୍ଟିଲେଜ ଫ୍ୟାବ୍ରିକେସନ ୧୦୮.୮୨ କୋଟି ଟଙ୍କାରେ ଫ୍ୟାବ୍ରିକେସନ୍ ଓ ମେସିନିଂ ୟୁନିଟ୍ କରିବ । ଏହି ପ୍ରକଳ୍ପରୁ ୩୭୫ ନିଯୁକ୍ତି ମିଳିବ । କଟକରେ ଭୁବନେଶ୍ୱର ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ୧୦୧.୯୯ କୋଟି ଟଙ୍କାରେ କଲର୍ କୋଟେଡ୍ ସିଟ୍, କରଗେଟେଡ୍ ଏଓ ସିଟ୍, ପ୍ଲେନ୍ ଏଓ ସିଟ୍ ଓ ଏଓ ଷ୍ଟ୍ରକ୍ଚରାଲ୍ କମ୍ପୋନେନ୍ଟ ଉତ୍ପାଦନ କରିବ । ଏଥିରେ ୧୩୦ଟି ନିଯୁକ୍ତି ସୁଯୋଗ ରହିବ ।ଖୋର୍ଦ୍ଧାରେ ଟାଟା ପାୱାର ୫୪.୩୧ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ କାପାବିଲିଟି ସେଂଟର ସ୍ଥାପନ କରିବ । ଏହା ମାଧ୍ୟମରେ ୧୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ବାୟୋଫୁଏଲ୍ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ ୯୬୦ କୋଟି ଟଙ୍କା ନିବେଶରେ ୩୯,୬୦୦ ଟିପିଏ କ୍ଷମତାର କମ୍ପ୍ରେ୍ରସ୍ଡ ବାୟୋ ଗ୍ୟାସ୍ ବା ସିବିଜି ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପ ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଗଞ୍ଜାମ,କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲାରେ କାର୍ଯ୍ୟକାରୀ ହେବ । ଏଥିରେ ୭୬୦ ନିଯୁକ୍ତି ସୁଯୋଗ ରହିବ ।
ଗଞ୍ଜାମରେ କିନେଟା ଗ୍ଲୋବାଲ୍ ଲିମିଟେଡ ୧୭୦ କୋଟି ଟଙ୍କା ନିବେଶରେ ପ୍ଲାନ୍ଟ କରିବ । ଏଥିରେ ୧୭୦ ଜଣଙ୍କ ନିଯୁକ୍ତି ହେବ । ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ ଓ ପୁରୀରେ ୫ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, “କେବଳ ନିବେଶ ଆକର୍ଷଣ ନୁହେଁ, ଉତ୍ପାଦନଶୀଳ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ସମ୍ବଳର ମୂଲ୍ୟବୃଦ୍ଧି, ସପ୍ଲାଏ ଚେନ୍ ବିକାଶ ଏବଂ ଅଞ୍ଚଳଭିତିକ ଶିଳ୍ପ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।
