ଦଶରଥପୁର,୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକସ୍ତ ଚଷାଖଣ୍ଡ ପଞ୍ଚାୟତର ସରପଞ୍ଚ ପ୍ରତିଭା ମଲ୍ଲିକ ଏବଂ ତାଙ୍କ ସ୍ୱାମୀ ରଞ୍ଜନ ମଲ୍ଲିକଙ୍କ ଉପରେ ସେହି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲା ଏବଂ ତାଙ୍କ ସାନ ଭାଇ ଆଶିଷ ମହଲା ଆକ୍ରମଣ କରିବା ଘଟଣାକୁ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ଦୁଇଦିନ ପରେ ଆଶିଷ ମହଲାକୁ ମଙ୍ଗଳପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାତ୍ର ମଙ୍ଗଳପୁର ପୋଲିସ ପକ୍ଷରୁ ଆଶିଷ ମହଲାକୁ ଗିରଫ କରାଯାଇଥିଲେ ମଧ୍ୟ ସୁବାସ ମହଲାକୁ ଗିରଫ କରିବାରେ ମଙ୍ଗଳପୁର ପୋଲିସ ଆଜି ପର୍ୟ୍ୟନ୍ତ ସଫଳ ହୋଇନଥିବା ଜଣାପଡ଼ିଛି । ଜଣେ ମହିଳା ସରପଞ୍ଚଙ୍କୁ ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ଆଜିକୁ ୭ ଦିନ ବିତିଯାଇଥିଲେ ମଧ୍ୟ ମଙ୍ଗଳପୁର ପୋଲିସ ଉକ୍ତ ଆସାମୀଙ୍କୁ ଧରିବାରେ ସଫଳ ହୋଇପାରିନଥିବା ବେଳେ ଆଜି ଦଶରଥପୁର ସରପଞ୍ଚ ସଂଘର ସଭାପତି ତଥା ଚାମ୍ପେଇପାଳ ପଞ୍ଚାୟତର ସରପଞ୍ଚ ହିମାଂଶୁ ନାୟକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ସରପଞ୍ଚ ମାନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ସହ ଜଣେ ମହିଳା କାର୍ୟ୍ୟରତ ସରପଞ୍ଚଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରାଯାଇଥିଲା । ଏହା ପରେ ସରପଞ୍ଚ ସଂଘ ପକ୍ଷରୁ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚି ଏସପିଙ୍କୁ ଭେଟି ତୁରନ୍ତ ମୁଖ୍ୟ ଆସାମୀଙ୍କୁ ଧରିବାକୁ ଦାବି କରିଥିଲେ । ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର ପାଇବା ପରେ ଏସପି ଖୁବ ଶୀଘ୍ର ଆସାମୀଙ୍କୁ ଧରିବା ପାଇଁ ପଦକ୍ଷପ ନିଆଯିବ ବୋଲି ସରପଞ୍ଚ ସଂଘର କର୍ମକର୍ତ୍ତା ମାନଙ୍କୁ ପ୍ରତିଶୃତି ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ଜାଫରପୁର ସରପଞ୍ଚ ସୁରେନ୍ଦ୍ର କୁମାର ବେହୁରିୟା, ନନ୍ଦିପୁର ସରପଞ୍ଚ ସଂଯୁକ୍ତା ମହାନ୍ତି,ଡାହାଣହତା ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ବିରୁହାଁ ସରପଞ୍ଚ ସୁବାସ ଦେବତା, ଖାନନଗର ସରପଞ୍ଚ ଶୁଭଶ୍ରୀ ମଲ୍ଲିକ, ବିରଜାପୁର ସରପଞ୍ଚ ନିରାକାର ସାହୁ, କନିକାପଡା ସରପଞ୍ଚ ପ୍ରଦୀପ ଯେନା ପ୍ରମୁଖଙ୍କ ସମେତ ପ୍ରାୟ ୨୫ ରୁ ଉର୍ଦ୍ଧ ସରପଞ୍ଚ ଉପସ୍ଥିତ ଥିଲେ ।