କିଶନନଗର ଠାରେ ଥିବା ଏକମାତ୍ର ଶୀତଳ ଭଣ୍ଡାରକୁ ବ୍ୟାଙ୍କ୍ ଦଖଲ କଲା, ଚାଷୀ ହତାଶ

କଟକ ସଦର,୨୦/୦୮/୨୦୨୬,(ଓଡ଼ିଶା ସମାଚାର/ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁ ଥିବାବେଳେ କଟକ ସଦରର ଏକମାତ୍ର କିଶନନଗର ବିଶ୍ୱାଳପଡା ଠାରେ ଥିବା ଶୀତଳ ଭଣ୍ଡାରକୁ ଋଣ ଖିଲାପି ଅଭିଯୋଗରେ ୟୁନିୟନ ବ୍ୟାଙ୍କ୍ ଆଜି ମାଜିଷ୍ଟ୍ରେଟ ଓ ପୋଲିସ ବଳଙ୍କୁ ନେଇ ଦଖଲ କରିଥିବା କୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପ୍ରକାଶ ଯେ ଉକ୍ତ ଅଞ୍ଚଳର ଜନୈକ ଯୁଵ କୃଷିଦ୍ୟୋଗୀ ଇଂ ମାନସ କୁମାର ଲେଙ୍କା ଚାଷୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ମଣ୍ଟେସୋରୀ ଆଗ୍ରୋଟେକ୍ ନାମରେ ଏଠାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ। ହେଲେ ସରକାର ଓ ବ୍ୟାଙ୍କ ଶୀତଳ ଭଣ୍ଡାରକୁ ପ୍ରୋତ୍ସାହନ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଶୀତଳ ଭଣ୍ଡାର ଦେବାଳିଆ ଅବସ୍ଥାକୁ ଆସି ଯାଇଥିଲା। ଠିକ୍ ଏତିକିବେଳେ ଏହାର ପରିଚାଳନା ନିର୍ଦ୍ଦେଶକ ମାନସ ଲେଙ୍କାଙ୍କର ଅକାଳ ମୃତ୍ୟୁ ହୋଇଥିଲା। ହେଲେ ଏତିକିରେ ବି କଥା ସରିଲା ନାହିଁ ପୁଅର ମୃତ୍ୟୁ ର ବର୍ଷେ ନପୁରୁଣୁ ବାପା ରାଜ୍ୟ ବିଦ୍ୟୁତ୍ ବିଭାଗର ମୁଖ୍ୟ ଅଧିକାରୀ ଇଂ ବଟକୃଷ୍ଣ ଲେଙ୍କାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଏହି ସମୟରେ ଚାଷୀମାନଙ୍କ ଜୀବନ ଜୀବିକା କୁ ମାରି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଘର ଦୁଆର ମୁହଁରେ ଥିବା ଉକ୍ତ ଶୀତଳ ଭଣ୍ଡାର ସିଲ୍ ହେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ହେଲେ ଏହାକୁ କିଛି ଦିନ ରକ୍ଷା କରିବାକୁ ବିଧାୟକ ଘଟଣା ସ୍ଥଳରେ ପହଞ୍ଚି କହିଥିଲେ ବି ସେଥିରୁ ବ୍ୟାଙ୍କ କର୍ତୃପକ୍ଷ ନିବୃତ ରହିନଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ୟୁନିୟନ ବ୍ୟାଙ୍କ୍ ଭୁବନେଶ୍ୱର ଶାଖା ର ମୂଳ ଋଣ ୭.୮୦ କୋଟି ରୁ ବଢି ୧୧ କୋଟି ହୋଇଛି।
ଅନ୍ୟ ପକ୍ଷରେ ଶୀତଳ ଭଣ୍ଡାର ସିଲ୍ ହେବା ଏବଂ ଇଲେକ୍ଟ୍ରି ଲାଇନ୍ କଟା ଯିବା ଫଳରେ ଏଠାରେ ବ୍ୟବହୃତ ହେଉଥିବା ଆମୋନିଆ ଗ୍ୟାସ ଲିକ୍ ହେବାର ସମ୍ଭାବନା ଅଧିକ ରହିଛି। ଏଥିରେ ଯଦି ଜନଜୀବନ ପ୍ରଭାବିତ ହୁଅନ୍ତି ତେବେ ଏଥିପାଇଁ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀ ରହିବେ ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଟେଲିଫୋନ ଯୋଗେ ସମସ୍ତଙ୍କୁ କଡ଼ା ତାଗିଦ୍ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *