ମାହାଙ୍ଗା, ୨୮/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ମଠ, ମନ୍ଦିର ଓ ଧାର୍ମିକ ପୀଠର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ,ଗ୍ରାମାଞ୍ଚଳର ଅନେକ ପ୍ରାଚୀନ ମନ୍ଦିରକୁ ଯୋଗାଯୋଗ କରୁଥିବା ରାସ୍ତା ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଫଳରେ ମନ୍ଦିରର ବିଭିନ୍ନ ଯାନିଯାତ୍ରା ସମୟରେ ଭକ୍ତ ଓ ସେବାୟତମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ସହ ଅନେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଏଭଳି ଅବ୍ୟବସ୍ଥାର ଚିତ୍ର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ପଞ୍ଚାୟତର କାହ୍ନପୁର ମହାନ୍ତି ସାହିରେ ଦେଖିବାକୁ ମିଳିଛି। ଏଠାରେ ଥିବା ବହୁ ପ୍ରାଚୀନ ମହାପ୍ରଭୁ ଯୁଗୋଳକିଶୋରଙ୍କ ମନ୍ଦିରକୁ ଯାତାୟାତ କରୁଥିବା ରାସ୍ତାଟି ଲଗାଣ ବର୍ଷା ପରେ ଦବିଯାଇ ଅତ୍ୟନ୍ତ ଶୋଚନୀୟ ଓ ସଂକୀର୍ଣ୍ଣ ହୋଇପଡିଛି। ଫଳରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ମନ୍ଦିରକୁ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି ଶ୍ରଦ୍ଧାଳୁ ମାନେ । ମହାପ୍ରଭୁ ଯୁଗୋଳକିଶୋର କାହ୍ନପୁର ଓ ଜଳେଶ୍ଵରପୁର ଗ୍ରାମବାସୀଙ୍କ ଇଷ୍ଟଦେବତା ଭାବେ ଦୀର୍ଘକାଳ ଧରି ଏଠାରେ ପୂଜା ପାଇଆସୁଛନ୍ତି। ମନ୍ଦିରରେ ବିଭିନ୍ନ ଯାନିଯାତ୍ରା ଓ ଧାର୍ମିକ ଉତ୍ସବ ପାଳିତ ହେଉଥିବା ବେଳେ,ଏହି ସମୟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏପରିକି ପ୍ରତିଦିନ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥାନ୍ତି । ମନ୍ଦିର ଚତୁଃପାର୍ଶ୍ଵରେ ବାସ କରୁଥିବା ସେବାୟତମାନେ ମଧ୍ୟ ନିତ୍ୟକର୍ମ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ।
ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ରାସ୍ତାଟିର ବିଭିନ୍ନ ସ୍ଥାନ ଦବିଯାଇଥିବାରୁ ଏହା ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଏହି ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଚାରିଚକିଆ ଯାନ ଚଳାଚଳ ମଧ୍ୟ କଷ୍ଟକର ହୋଇପଡ଼ିଛି । ଏହାର ସିଧାସଳଖ ପ୍ରଭାବ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ପଡିବା ଅଭିଯୋଗ ହେଉଛି । ଦୂରଦୂରାନ୍ତରୁ ଆସୁଥିବା ଅନେକ ଭକ୍ତ ରାସ୍ତାର ଦୂରବସ୍ଥା ଦେଖି, ଏଠାକୁ ଆସିବାକୁ ପଛଘୁଞ୍ଚା ଦେଉଛନ୍ତି । ଗ୍ରାମବାସୀ ମାନେ ଗାଁ ଭିତରୁ ବାହାରକୁ ଯାତାୟାତ କରିବାରେ ଚରମ ଅସୁବିଧା ଭୋଗୁଛନ୍ତି । କେବଳ ମନ୍ଦିର ଦର୍ଶନ ନୁହେଁ, ରାସ୍ତାର ଦୁରବସ୍ଥା ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି । ଏହି ଗ୍ରାମର ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅତ୍ୟାବଶ୍ୟକ ସମୟରେ ଆମ୍ବୁଲାକ୍ସ ଭଳି ଜରୁରୀକାଳୀନ ଯାନ କିମ୍ବା ଅଗ୍ନିଶମ ବାହିନୀର ଗାଡି ଗ୍ରାମ ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇପଡିଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ନିରାପତ୍ତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପ୍ରାଚୀନ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁବିଧା ସହିତ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ ପାଇଁ ରାସ୍ତାର ତୁରନ୍ତ ମରାମତି ଓ ଉନ୍ନତୀକରଣ କରାଯିବାକୁ ଦାବି ହୋଇଛି।
ଏହି ସମସ୍ୟାର ପ୍ରତିକାର ପାଇଁ ଆଇନୀଜୀବୀ ଦୀପକ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ରଶ୍ମି ରଞ୍ଜନ ମହାନ୍ତି, ସମାଜସେବୀ ଜ୍ଞାନ ରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଞ୍ଚ ଅଜୟ ନାୟକ ପ୍ରମୁଖ ସରକାର ଓ ସ୍ଥାନୀୟ ପ୍ରଶାସନ ପାଖରେ ଦାବି କରିଛନ୍ତି l
ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ମନ୍ଦିର ରାସ୍ତାର ପୁନରୁଦ୍ଧାର କରିବା ସହ,ଭକ୍ତ ଓ ଗ୍ରାମବାସୀଙ୍କ ଯାତାୟାତକୁ ସ୍ଥାୟୀ ଭାବେ ସୁଗମ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ , ଶ୍ରଦ୍ଧାଳୁ ଓ ସେବାୟତମାନେ ଦୃଢ଼ ଦାବି କରିଛନ୍ତି।
