ସାଲେପୁର, ୨୨/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ଜନୈକା ଶିକ୍ଷୟିତ୍ରୀ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ବାଇକ ଧକ୍କା ରେ ଗୁରୁତର ଆହତ ହୋଇ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସ। ପାଇଁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ,ସାଲେପୁର ଶିକ୍ଷା ମଣ୍ଡଳ ଅଧିନ ଯତୀନ୍ଦ୍ର ନାଥ ଉଚ୍ଚ ବିଦ୍ୟାଳୟ ଓଡାସିଂ ର ହିନ୍ଦୀ ଶିକ୍ଷୟିତ୍ରୀ ପୁରୀ ଅଞ୍ଚଳର ବନ୍ୟା ବୈଶାଳୀ ସ୍ବାଇଁ ନିଜ ସ୍କୁଟି ଯୋଗେ ସାଲେପୁର ସ୍ଥିତ ଭଡା ଘରକୁ ଫେରୁଥିବା ସମୟରେ ବୋଦାମୁଣ୍ଡାଇ ବଜାରରେ ଆଗରୁ ଆସୁଥିବା ମାହାଙ୍ଗା ଅଞ୍ଚଳର ଦୁଇଜଣ ଯୁବକଙ୍କ ବାଇକ ଧକ୍କାରେ ଗୁରୁତର ହୋଇ ରାସ୍ତାରେ ପଡି ଯାଇଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ସମାଜସେବୀ ହରିବନ୍ଧୁ ଶତପଥୀ ଖବର ପାଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶିକ୍ଷୟିତ୍ରୀ ଙ୍କ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କ ସ୍ବାମୀ ଙ୍କ ସହିତ କଥା ହୋଇଥିଲେ।ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ ଥିବା ଜଣାପଡିଛି।ସାଲେପୁର ପୋଲିସ ଗାଡି କୁ ଜବତ କରିଥିବା ଜଣାପଡିଛି ।
