ଋଣ ନଶୁଝିବାରୁ ବନ୍ଧକ ଘର ଦଖଲକୁ ନେଲା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ

କେନ୍ଦ୍ରାପଡ଼ା, ୨୨/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ଏନପିଏ ଋଣ ଆଦାୟ ପଦକ୍ଷେପ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସିକୁ୍ୟରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକସନ ଆକ୍ଟ-୨୦୦୨ର ବିଭିନ୍ନ ଧାରା ଓ ଉପଧାରା ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କେନ୍ଦ୍ରାପଡା ଟାଉନ୍ ଅଧିନ ଚାଟରାପାଟଣାସ୍ଥିତ ପଦ୍ମଚରଣ ମହାନ୍ତିଙ୍କ ପୁଅ ଦିଲ୍ଲିପ କୁମାର ମହାନ୍ତିଙ୍କ ବନ୍ଧକ ବାସଗୃହ ସମ୍ପତିକୁ ବ୍ୟାଙ୍କ ଦଖଲକୁ ନେଇଛି । ଶ୍ରୀ ମହାନ୍ତି ବ୍ୟାଙ୍କରୁ ୨୦୧୮ମସିହାରୁ ଋଣ ଗ୍ରହଣ କରି ନଶୁଝିବାରୁ ୨୦୧୯ମସିହାରେ ତାଙ୍କର ଋଣ ଆକାଉନ୍ଟ ଏନପିଏ ହୋଇଯାଇଥିଲା । ବ୍ୟାଙ୍କ ପକ୍ଷରୁ ତାଙ୍କୁ ବାରମ୍ବାର ତାଗିଦ ସତ୍ୱେ ସେ ଋଣ ଶୁଝିନଥିଲେ । ତାଙ୍କ ଉପରେ ବ୍ୟାଙ୍କର ପ୍ରାୟ ୮୬ଲକ୍ଷ ଟଙ୍କା ଋଣ ଦେୟ ବକେୟା ରହିଛି ।

ବ୍ୟାଙ୍କର ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ମ୍ୟାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲେ । ପୋଲିସ ଫୋର୍ସ ସହିତ କେନ୍ଦ୍ରାପଡା ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ବ୍ୟାଙ୍କର କ୍ଷମତାପ୍ରାପ୍ତ ଅଧିକାରୀ ସୁରେଶ ଚନ୍ଦ୍ର ପରିଡାଙ୍କ ଉପସ୍ଥିତିରେ ଶ୍ରୀ ମହାନ୍ତିଙ୍କ ଘରଟିକୁ ତାଲା ପକାଇ ବନ୍ଦ କରି ସିଲ କରି ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଋଣ ଆଦାୟ ଅଧିକାରୀ ହିମାଂଶୁ ଶେଖର ଲେଙ୍କା, ସଂପୃକ୍ତ ଶାଖା ପରିଚାଳିକା ମିନାକ୍ଷୀ ପାଣି, କ୍ଷେତ୍ର ଅଧିକାରୀ ବିଶ୍ୱରଞ୍ଜନ ଲେଙ୍କା, କର୍ମଚାରୀ ପ୍ରଶାନ୍ତ କୁମାର ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ମାନବୀୟ ଦୃଷ୍ଟିକୋଣରୁ ଦୁଃଖ ପ୍ରକାଶ କରିବା ସହ ଋଣକାରୀଙ୍କୁ ନିବେଦନ କରିଛନ୍ତି କି ବ୍ୟାଙ୍କର ଋଣ ଆଦାୟରେ ସହଯୋଗ କରି ଋଣ ପୈଠ କରନ୍ତୁ ଏବଂ ଏଭଳି ପରିସ୍ଥିତି ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *