ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ, ବିଜେଡ଼ି ଦେବ ସମର୍ଥନ

                                                 ଗୁରୁବାର ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ । ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ସସପେନ୍ସ ଲାଗି ରହିଥିଲା । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପି ଅଶ୍ଵିନୀଙ୍କ ନାଁ ଘୋଷଣା କରିଛି । ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ବିଜେପି ପାଖରେ ଆବଶ୍ୟ ଆବଶ୍ୟକ ସଂଖ୍ୟା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।ଏଥର ପୁଣି ତାହାର ପୁନରାବୃତି ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେବ ବୋଲି କୁହାଯାଉଛି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିଛନ୍ତି । ଆଜି   ପବିତ୍ର ସରସ୍ଵତୀ ପୂଜା ପାଇଁ ଛୁଟି ରହିଛି । ଆସନ୍ତା କାଲି ଗୁରୁବାର ଦିନ ହିଁ ରାଜ୍ୟସଭା ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ତେଣୁ ଆସନ୍ତା କାଲି ସକାଳ ୧୦ ଟାରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ।ସୂଚନା ଅନୁସାରେ, ୨୦୧୯ ଫର୍ମୁଲା ଆପଣାଇପାରେ ବିଜେଡି। ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି। ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ। କିନ୍ତୁ ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବ ବୋଲି ବିଜେଡ଼ି ସୁପ୍ରିମୋ ନଦୀନ ପଟ୍ଟନାୟକ କହିଛନ୍ତି ।

 ସୂଚନାଯୋଗ୍ୟ ବିଜୁ ଜନତା ଦଳ (ବିଜେଡି) ରାଜ୍ୟସଭା ନିର୍ବାଚନ ପାଇଁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା। ଗତକାଲି ଏହି ଦୁଇ ପ୍ରାର୍ଥୀ ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦୁଇ ଜଣଙ୍କର ନାମ ଘୋଷଣା କରାଯିବା ପରେ ୩ୟ ବ୍ୟକ୍ତି ଭାବେ ଓଡିଶାରୁ କିଏ ଯିବେ ରାଜ୍ୟସଭା ସେନେଇ ଚର୍ଚ୍ଚା ହେଉଥିଲା । ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା କରିବ, ନା ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା।

ଏନେଇ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ସମର୍ଥନ ଘୋଷଣା କରିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି। ଓଡ଼ିଶାର ବୃହତ୍ତର ସ୍ବାର୍ଥ ଦୃଷ୍ଟରୁ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *