ଜଟଣୀ,୦୧/୧୦/୨୦୨୫(ଓଡ଼ିଶା ସମାଚାର)- ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ସାମାଜିକ ଅନୁଷ୍ଠାନ ପିପୁଲ ଫର ସୋସାଇଟି ଏବଂ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ ମିଳିତ ଭାବେ ଡ଼ମୁଣେଇ ଠାକୁରାଣୀଙ୍କ ନିକଟରେ ଅସ୍ତ୍ର ପୂଜନ ସହ ସନାତନୀ ହିନ୍ଦୁ ଏକତା ଯାତ୍ରା ମା’ ଡମଣେଇ ମନ୍ଦିରରୁ ଆରମ୍ଭ ହୋଇ ନଗର ପରିକ୍ରମା କରିଥିଲା । ଉଲ୍ଲେଖ ଯୋଗ୍ୟ ଯେ ଜଟଣୀ ହେଉଛି ବୀର ପାଇକଙ୍କ ମାଟି, ଯେଉଁ ପରାକ୍ରମୀ ବୀରମାନଙ୍କ ପାଇଁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଏହି ମାଟିର ବୀରତ୍ୱ ଗାଥା ଇତିହାସରେ ଲେଖା ହୋଇ ରହିଛି ।
ଦୁର୍ଗାଷ୍ଟମୀ ହେଉଛି ପାଇକ ମାନଙ୍କର ଶକ୍ତି ପ୍ରଦର୍ଶନ କରିବାର ଦିନ, ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ସହିତ ହିନ୍ଦୁ ମାନଙ୍କ ମଧ୍ୟରେ ସାହସ ଓ ଏକତା ବଜାୟ ରଖିବା ସହିତ ହିନ୍ଦୁ ପରମ୍ପରା ବଂଚାଇବା ପାଇଁ ଏଭଳି ଆୟୋଜନ କରାଯାଇଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ତଥା ସଂଗଠିତ ହିନ୍ଦୁ ପରିବାରର ଆବାହକ ଅନିଲ ବିଶ୍ୱାଳ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶାଳ ଶୋଭାଯାତ୍ରା ସହିତ ପାଇକ ଆଖଡ଼ା ପ୍ରଦର୍ଶନ, ନାଗାନାଚ ଓ ଘୋଡା ନାଚ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ଜେନା, ସମ୍ପାଦକ ଅମରେନ୍ଦ୍ର ପାଟ୍ଟଶାଣୀଙ୍କ ସମେତ ବହୁ କାର୍ଯ୍ୟକର୍ତାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଯୁବକମାନେ ସାମିଲ ହୋଇଥିଲେ ।
