ଝିଅ ମାନଙ୍କ  ଦୋଳ ମେଲଣ : ଜନ୍ମମାଟିର ଗାରିମା ବଜାୟ ରଖିବାକୁ ଆହ୍ୱାନ 

ମାହାଙ୍ଗା ୧୭/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମରେ ଦୋଳ ଯାତ୍ରା ବେଶ ଆନନ୍ଦ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଘଞ୍ଚ ନିମ-ଚନ୍ଦନ ଘେରା ଏହି ବାଲିପଡିଆ ଗ୍ରାମର ବହୁ ପୁରାତନ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନେକ ବର୍ଷ ତଳୁ ପ୍ରଚଳିତ ବିବାହିତ ଝିଅ ମାନଙ୍କର ମିଳନ ପର୍ବ ଆୟୋଜିତ ହୋଇଯାଇଛି  । ଏହି ଉତ୍ସବ ସ୍ଥାନୀୟ ଅଂଚଳରେ ନିଆରା ଢଙ୍ଗରେ କେବଳ ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ହୁଏ । ଏହି ଉତ୍ସବରେ ଜନ୍ମମାଟିର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନିଆଯିବା ଦେଖିବାକୁ ମିଳିଥିଲା  । ଓଡିଆ ସଂସ୍କୃତି ଏବଂ ପରମ୍ପରା ଭିତରେ ଆମ ଜନ-ଜୀବନର ଅସୁମାରୀ ଗାଥାକୁ ନେଇ ମହିଳାମାନେ ହଜିଲା ଦିନର ସ୍ମୁତିକୁ ରୋମନ୍ଥନ କରିବା ଦେଖିବାକୁ ମିଳିଥିଲା ।

ସମାଜରେ ନାରୀର ସ୍ଥିତି, ଅଧିକାର, କର୍ତ୍ତବ୍ୟ ଏବଂ ଦାୟୀତ୍ୱବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦିଆଯିବା ଉପରେ ଆଲୋଚକ ମାନେ ଗୁରୁତ୍ୱାରୋପ କରିଥିଲେ । ଧିରେ ଧିରେ ଆମ ସମାଜରୁ ପାରମ୍ପରିକ ମୂଲ୍ୟବୋଧ ହ୍ରାସ ପାଉଥିବା ବେଳେ ବାଲିପଡ଼ିଆ ଗାଁ’ର ବିବାହିତା ଝିଅମାନେ ଦୋଳ ମିଳନ ସମୟରେ ନିଜ ଜନ୍ମମାଟିକୁ ଫେରି ଗ୍ରାମ୍ୟ ଜୀବନର ସରଳ ତରଳ ସ୍ନେହ ପ୍ରେମ ଏବଂ ସେମାନଙ୍କ ବାଲ୍ୟ-କିଶୋରୀ ଜୀବନର ସ୍ମୁତିକୁ ରୋମନ୍ଥନ କରିବା ଦେଖିବାକୁ ମିଳିଥିଲା  । ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ ବୈଭବ,ଆଧ୍ୟାତ୍ମିକ ଚିନ୍ତନ ଏବଂ ପରସ୍ପର ଭିତରେ ଅତ୍ମୀୟତା କିପରି ଅଧିକରୁ ଅଧିକ ସୁଦୃଢ ହୋଇପାରିବ, ସେ ଦିଗରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଉପରେ ଝିଅମାନେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କଲାପରେ ସମସ୍ତେ ଏକତ୍ରିତ ହୋଇ ପ୍ରୀତି ଭୋଜନ କରିଥିଲେ।  ଏହି କାର୍ଯ୍ୟକର୍ମକୁ ଚିତ୍ରରେଖା ମହାନ୍ତି ,ଜ୍ୟୋତ୍ସ୍ନା ମହାନ୍ତି ରଶ୍ମିତା ସାହୁ, ସସ୍ମିତା ସାମନ୍ତରାୟ,ଜିତେନ୍ଦ୍ର ମହାନ୍ତି,ଶଶିଭୂଷଣ ମହାନ୍ତି ଏବଂ ଯୁବ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ସଞ୍ଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *