ଭୁବନେଶ୍ୱର,୧୯/୦୯/୨୦୨୬ (ଓଡ଼ିଶା ସମାଚାର)- ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ସମସ୍ତେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ବୋଲି ସୂଚନାରୁ ଜଣାପଡ଼ିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ସହିତ ସମନ୍ବୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ସମସ୍ତେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳ ବୋଲି ସୂଚନାରୁ ଜଣାପଡ଼ିଛି। ଗୋଟିଏ ପରିବାରର ପୁଅ, ଝିଅ, ୨ ନାତି, ୨ ନାତୁଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଅବିବାହିତ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ବାହାଘର ପାଇଁ ନିର୍ବନ୍ଧ ହୋଇଥାନ୍ତା। ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଏହି ଅଘଟଣ ଘଟିଛି। ଅଗର ମାଲଓ୍ବା ଜିଲାର ନଲଖେଡ଼ାର ଏକ ଝରଣାରେ ଭାସି ଯାଇଛନ୍ତି। ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯିବାବେଳେ ଝରଣାରେ ବଢ଼ି ପାଣି ପାର୍ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଏପରି ଦୁଃଖଦ ଘଟଣା ଘଟିଛି। ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନାରୁ ପ୍ରକାଶ।
ମା’ ବଗଲାମୁଖୀଙ୍କ ଦର୍ଶନ ପାଇଁ ଉଜ୍ଜୟିନୀରୁ ନଲଖେଡ଼ା ଯାଉଥିବା ବେଳେ ନାଳର ପ୍ରଖର ସ୍ରୋତରେ କାର ଭାସିଗଲା । ପ୍ରବଳ ବର୍ଷା ପରେ ମନ୍ଦିର ନିକଟସ୍ଥ ବର୍ଷାଜଳ ନାଳରେ ହଠାତ୍ ପାଣି ବଢ଼ିବା ସହ ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇଥିଲା । ଏହି ସମୟରେ କାରଟି ନାଳ ପାର ହେବାକୁ ଉଦ୍ୟମ କରିବା ବେଳେ ପାଣିର ସ୍ରୋତରେ ନିୟନ୍ତ୍ରଣ ହରାଇ ଭାସିଯାଇଥିଲା । ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ କାରଟିକୁ ବାହାର କରିଥିଲେ । ତେବେ କାରରେ ଥିବା ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ରହିଛନ୍ତି । ପ୍ରାଥମିକ ତଦନ୍ତରେ ପ୍ରଖର ସ୍ରୋତ ସତ୍ତ୍ୱେ ନାଳ ପାର ହେବାର ଚେଷ୍ଟା ହୋଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି ।
ଜୟଦେବ ବିହାର ଅଞ୍ଚଳର ବନମାଳୀ ବେହେରାଙ୍କ ପରିବାର । ମୃତକ ମାନେ ହେଲେ ବନମାଳୀଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା, ଝିଅ ରୀତାରାଣୀ, ଜ୍ବାଇଁ ଜ୍ଞାନେନ୍ଦ୍ର,୨ ନାତି ଓ ଜଣେ ନାତୁଣୀ ଅଛନ୍ତି । ଅଘଟଣରେ ଡ୍ରାଇଭର କୃଷ୍ଣା ରାଜବୀରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ପୋଲିସ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି ।
