Breaking News – ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ  କରିବା  ଅଭିଯୋଗରେ  ଲୋକଙ୍କ ମାଡ଼ରେ ଯୁବକ ମୃତ , ୪ ଗିରଫ

ଭୁବନେଶ୍ୱର,୦୭/୦୫/୨୦୨୬ (ଓଡ଼ିଶା ସମାଚାର)-  ରାଜଧାନୀ ଉପକଣ୍ଠ  ବାଲିଅନ୍ତା ଥାନା ଅଞ୍ଚଳରେ ବର୍ବରକାଣ୍ଡ । ଲୋକଙ୍କ ମାଡ଼ରେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣା ପରେ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା ଦେଖା ଦେଇଛି। ସୌମ୍ୟଙ୍କ ସମ୍ପର୍କୀୟ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ।ଏପରିକି ଥାନାରେ ପୁଲିସ –  ସୌମ୍ୟଙ୍କ ସମ୍ପର୍କୀୟ ମୁହାଁମୁହିଁ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ବାଲିଅନ୍ତା ଥାନା ଅଞ୍ଚଳର ୨ ଜଣ ଯୁବତୀ ଏକ ସ୍କୁଟିରେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ ଓମ ପ୍ରକାଶ ଏକ ବାଇକରେ ଆସି ୨ ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚାରଣ କରିଥିଲେ।ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ପହଁଞ୍ଚି ୨ଯୁବକଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସୌମ୍ୟ ରଞ୍ଜନ ଜିଆରପିରେ କାର୍ଯ୍ୟରତ ଥିଲେ ।ଏନେଇ ଜିଆରପିର ଉଚ୍ଚ ପଦାଧିକାରୀଙ୍କୁ ଅବଗତକରାଯାଇଛି।

ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ କହିଛନ୍ତି। ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଶୁକ୍ରବାର ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

Leave a Reply

Your email address will not be published. Required fields are marked *