ଘଟଗାଁ, ୧୯/୦୯/୨୦୨୬ (ଓଡିଶା ସମାଚାର)- ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ପରିବେଶକୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନେତୃତ୍ୱରେ ଏବଂ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହଯୋଗରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀମାନେ ସାମିଲ ହୋଇ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଶପଥ ପାଠ କରିଥିଲେ।
ଘଟଗାଁ ସିଆରସିସି କମଳାକାନ୍ତ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଧାନଶିକ୍ଷକ ରୋହିତ କୁମାର ବେହେରାଙ୍କ ସମେତ ଶିକ୍ଷକ ମାଗୁଣି ଚରଣ ମାଝୀ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି ଓ ରଶ୍ମିତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ ପିଇଓ ଦୀପ୍ତିରଞ୍ଜନ ଦାସ, ଏଡିଓ ସତ୍ୟେନ୍ଦ୍ର କୁମାର, ଏସ୍କେ ପର୍ବେଜ୍, ଲିପୁ ବେଜ୍ ଓ ସତ୍ୟରଞ୍ଜନ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କୁଇଜ୍ ପ୍ରତିଯୋଗିତାରେ ସଫଳ ତିନିଜଣ ଛାତ୍ରଛାତ୍ରୀଙ୍କୁ ପଂଚାୟତ ପକ୍ଷରୁ ସରପଞ୍ଚ ପୁରସ୍କୃତ କରିଥିଲେ।
