ଘଟଗାଁ, ୧୯/୦୯/୨୦୨୬(ଓଡିଶା ସମାଚାର)- ଘଟଗାଁ ମଣ୍ଡଳସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ରାଜପାଟ ବନଦୁର୍ଗା ବିଦ୍ୟାପୀଠ ଖେଳପଡ଼ିଆରେ ଶୁକ୍ରବାର ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଛି। ଦୁଇଦିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସର ବିଦ୍ୟାଳୟର ପିଲା ମାନେ ଅଂଶଗ୍ରହଣ କରିଥିଲେ ।
ଘଟଗାଁ ବ୍ଲକ ବିଇଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ଶାରୀରିକ ଓ କ୍ରୀଡ଼ା କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ଉପରେ ଉଦ୍ବୋଧନ ଦେଇଥିଲେ। ଏବିଇଓ ସଞ୍ଜୟ କୁମାର ପଲେଇ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ଘଟଗାଁ ସିଆରସିସି କମଳାକାନ୍ତ ପଣ୍ଡା, ବଡ଼ ଜାମୁପୋଷି ସିଆରସିସି ବିଜୟ କୁମାର ବେହେରା,ଧାଙ୍ଗଡ଼ଡ଼ିହା ସିଆରସିସି ଆଶିଷ କୁମାର ବେହେରା, ପ୍ରଧାନଶିକ୍ଷକ ଜୀବନ କୁମାର ସେଠୀ ଓ କ୍ରୀଡ଼ା ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଯୋଗିତାରେ ଖୋ-ଖୋ, କବାଡି, ଦୌଡ଼, କ୍ରିକେଟ୍ ସମେତ ବିଭିନ୍ନ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ମୋଟ ୨୮୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୪୧ ଜଣ ବ୍ୟବସ୍ଥାପକ ଓ କ୍ରୀଡ଼ା ଶିକ୍ଷକ ବିଭିନ୍ନ ଖେଳ ପରିଚାଳନା କରିଥିଲେ। ଜ୍ୟୋତ୍ସ୍ନା ରାଣୀ ସାହୁ, ସସ୍ମିତା ରଥ, ଅୟେଶ କାନ୍ତ ସ୍ୱାଇଁ, ସୁରେଶ କୁମାର ପଲେଇ, ସୁବ୍ରତ ଲେଙ୍କା, ଡମ୍ବରୁଧର ମହାନ୍ତ, ଲମ୍ବୋଦର ମହାନ୍ତ, ସଞ୍ଜୀବ ସାହୁ, ଲକ୍ଷ୍ମୀଧର ମହାନ୍ତ ଓ ବର୍ଷା ଷଡ଼ଙ୍ଗୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
