— ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି: ଉପମୁଖ୍ୟମନ୍ତ୍ରୀ
— ଓଡ଼ିଶାର ବୌଦ୍ଧ ତନ୍ତ୍ରଯାନ ଏବଂ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ କରାଯାଉଛି ପ୍ରୟାସ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
— ଓଡ଼ିଶା ଓ ଗୁରୁ ପଦ୍ମସମ୍ଭବଙ୍କ ଇତିହାସକୁ ନେଇ ଗବେଷକମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ
— ଉଦୟଗିରିରେ ହୋଇଥିଲା ଗୁରୁ ପଦ୍ମସମ୍ଭବଙ୍କ ମହାପରିନିର୍ବାଣ
— ଉଦୟଗିରି ସ୍ମରଣିକା ଓ ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
ଯାଜପୁର, ୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଅଛି। ଆଜି ସମ୍ମିଳନୀର ଚତୁର୍ଥ ଦିନରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିରାଙ୍ଗର ବୌଦ୍ଧ ଗୁରୁ ଜିଗମେ ରିଙ୍ଗପୋଚେ, ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନର ମୁଖ୍ୟ ୱାଙ୍ଗମୋ ଦିକ୍ସେ ପ୍ରମୁଖ ଯୋଗ ଦେଇଥିଲେ।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ କହିଥିଲେ ଯେ, ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ମାଧ୍ୟମରେ ବୌଦ୍ଧ ପର୍ଯ୍ୟଟନର ବିକାଶ ହେବା ସହ ଶାନ୍ତି ଏବଂ କରୁଣାର ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚିପାରିବ। ଏଇ ଓଡ଼ିଶା ମାଟି ସର୍ବଦା ଆଧ୍ୟାତ୍ମିକତାର ପଥରେ ଅଗ୍ରସର ହୋଇଆସିଛି।

ଓଡ଼ିଶା ସରକାର ଏଦିଗରେ ଅନେକ ପ୍ରୟାସ କରୁଛନ୍ତି। ରତ୍ନଗିରି, ଲଳିତଗିରି, ଉଦୟଗିରି, ଜିରାଙ୍ଗ, ଧଉଳି ଭଳି ବୌଦ୍ଧ କୀର୍ତ୍ତିରାଜିର ସାମଗ୍ରିକ ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ଇତିହାସ ସମ୍ବନ୍ଧୀୟ ଆଧୁନିକ ଗବେଷଣା ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାର ସୁସମୃଦ୍ଧ ବୌଦ୍ଧ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ବୌଦ୍ଧ ଧର୍ମ ବିକାଶ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ଓଡ଼ିଶାକୁ ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ ସହ ଯୋଡ଼ିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହାସହ ଜୀରାଙ୍ଗ ମହାବିହାରର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ।

ସେହିଭଳି ଓଡ଼ିଆ,ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ହୋଇଥିଲା ଏବଂ ଉଦୟଗିରିଠାରେ ହିଁ ସେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ। ଏହାସହ ଓଡ଼ିଶାରେ ଗୁରୁ ପଦ୍ମସମ୍ଭବ ଏବଂ ବୌଦ୍ଧ ତନ୍ତ୍ରଯାନ ସମ୍ବନ୍ଧୀୟ ପ୍ରମାଣ, ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆଣିଥିବାରୁ ଉପସ୍ଥିତ ବିଶେଷଜ୍ଞ ଗବେଷକମାନଙ୍କୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଶଂସା କରିଥିଲେ। ଜାନୁଆରୀ ୧୬ ଯାଏଁ ଚାଲୁଥିବା ଏହି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ, ଗୁରୁ, ପର୍ଯ୍ୟଟକ ଯୋଗ ଦେଇଛନ୍ତି।
ଏହି ଅବସରରେ ଅତିଥିମାନେ ଉଦୟଗିରି ସ୍ମରଣିକା ସହ ବୌଦ୍ଧ ଐତିହ୍ୟ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚନ କରିଥିଲେ। ଅତିଥିମାନଙ୍କ ବକ୍ତବ୍ୟ ପରେ ଓଡ଼ିଶା ଓ ଗୁରୁ ପଦ୍ମସମ୍ଭବଙ୍କ ଇତିହାସକୁ ନେଇ ଏକ ଆଲୋଚନା ଚକ୍ର ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଆଲୋଚନାରେ ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନର ରିଚାର୍ଡ ଦିକ୍ସେ, ଫରାସୀ ଭାରତତତ୍ତ୍ଵବିତ ଡ. ଫ୍ରେଡରିକ ମରୁନଭାଲ, ବିଶିଷ୍ଟ ଲେଖକ ଓ ଗବେଷକ ପ୍ରବୀର ପଟ୍ଟନାୟକ, ଗବେଷକ ଡ. ଅନୀତା ସାବତ, ପ୍ରଫେସର ରାହୁଲ ରବି ରାଓ, ଲାମା ତେଞ୍ଜିନ ସାମ୍ଫେଲ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡ. ସୁବ୍ରତ କୁମାର ପୃଷ୍ଟି, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବଯାନୀ ଭୂୟାଁ, ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ତାପସ କୁମାର ସାହୁ ଉପସ୍ଥିତ ଥିଲେ। ଏହାସହ ଏହି ମହୋତ୍ସବରେ ସ୍ଥାନୀୟ ଜନସାଧାରଣ, ଶ୍ରଦ୍ଧାଳୁ ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ।




