କଟକ,୧୭/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) କଟକ ସଦର ଥାନା ଅନ୍ତର୍ଗତ ଅରଡିଆପଦା ରାଜସ୍ୱ ଗ୍ରାମର ଢିଅସାହିରେ ପବିତ୍ର ଗଣେଶ ପୂଜା ଅବସରରେ ମା’ ନବମଲ୍ଲିକା ଯୁବକ ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ମହୋତ୍ସବ ଓ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ପୂଜାର ଧାର୍ମିକ ଆବହା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ଏହି ଅଭିନବ ପ୍ରୟାସ ଅଞ୍ଚଳବାସୀଙ୍କ ମହଲରେ ବେଶ୍ ପ୍ରଶଂସା ସାଉଁଟିଛି।
ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଲଳିତ କୁମାର ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜୋନ୍-୪ ଏସିପି ଅମିତାଭ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ସଦର ଥାନା ଆଇଆଇସି ତୁଷାରକାନ୍ତ ସେଠୀ, ନିଆଳି ବିଧାୟକଙ୍କ ପ୍ରତିନିଧି ଧୀରେନ୍ଦ୍ର ବାରିକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ଭୋଇ, ବରିଷ୍ଠ ସମାଜସେବୀ ଇଂ ସୁଶାନ୍ତ କୁମାର ତ୍ରିପାଠୀ, ବିଶିଷ୍ଟ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ପ୍ରାକ୍ତନ ସରପଞ୍ଚ ନରୋତ୍ତମ ପାତ୍ର, ଯୁବ ସଂଗଠକ ଶୋଭନ ମହାପାତ୍ର, ଯୁବ ନେତା କଳ୍ପତରୁ ଖୁଣ୍ଟିଆ, ନଳିନୀକାନ୍ତ ପଟ୍ଟନାୟକ, ବିଲଡର୍ସ ଲକ୍ଷ୍ମଣ ଖଟୁଆ, ବିଲଡର୍ସ କିଶୋର କୁମାର ଜେନା, ଶ୍ରୀତମ ମହାନ୍ତି, ଅମିୟ ମହାପାତ୍ର, ବିପ୍ଳବ ଯାଦବ, ଅଜୟ କୁମାର ବେଉରା, ବରଦା ପ୍ରସାଦ ବେଉରା, ଶୈଳଜାନନ୍ଦ ସାହୁ, ଘନଶ୍ୟାମ ମହାନ୍ତି, ଧୀରେନ୍ଦ୍ର ନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଏହି ଅବସରରେ ‘ପୂଜ୍ୟ ପୂଜା ସମ୍ମାନ’ ପ୍ରଦାନ କରାଯାଇ ଅତିଥିମାନଙ୍କ ସମେତ ଅଞ୍ଚଳର ଶିକ୍ଷାବିତ୍, ସାମ୍ବାଦିକ, ସମାଜସେବୀ, ଯୁବ ନେତା, ରାଜନେତା ଓ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ଅବଦାନ ମାଧ୍ୟମରେ ସମାଜ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନ ଓ ସମ୍ବର୍ଦ୍ଧନା ମାଧ୍ୟମରେ ସମାଜର ପ୍ରତିଭାବାନ ଓ କର୍ମନିଷ୍ଠ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ସହ ଯୁବପିଢ଼ିଙ୍କ ମନରେ ସେବା, ସମାଜ ପ୍ରତି ଦାୟିତ୍ୱ ଓ ମାନବିକତାର ଭାବନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମା’ ନବମଲ୍ଲିକା ଯୁବକ ସଂଘର ଏଭଳି ପ୍ରୟାସ କେବଳ ଗଣେଶ ପୂଜାକୁ ଏକ ଧାର୍ମିକ ଉତ୍ସବ ମଧ୍ୟରେ ସୀମିତ ନରଖି ଏହାକୁ ସାମାଜିକ ଏକତା, ପ୍ରତିଭା ସମ୍ମାନ ଓ ଯୁବଶକ୍ତିର ସକାରାତ୍ମକ ଭୂମିକାର ଏକ ମଞ୍ଚରେ ପରିଣତ କରିଛି। ବିଶେଷକରି ଯୁବକମାନଙ୍କ ଦ୍ୱାରା ଏଭଳି ଶୃଙ୍ଖଳିତ ଓ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ ଆଗାମୀ ପିଢ଼ି ପାଇଁ ଏକ ଉତ୍ସାହଜନକ ବାର୍ତ୍ତା ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।
ପୂଜାର କର୍ତ୍ତା ଗଣେଶ ବେଉରା, କମିଟିର ସଭାପତି ଦିବ୍ୟଜ୍ୟୋତି ବେଉରା ଓ ସମ୍ପାଦକ ଦିବ୍ୟଦ୍ୟୁତି ବେଉରାଙ୍କ ସମେତ ଅରଜିତ ବେଉରା, ହିମାଂଶୁ ଶେଖର ଜେନା, ରତିରଞ୍ଜନ ବେଉରା, ବିସାଜ ବେଉରା, ଚିନ୍ମୟ ବେଉରା, ତେଜନାରାୟଣ ବେଉରା, ସୌମ୍ୟକାନ୍ତ ବେଉରା, ରାକେଶ ବେଉରା, ରାଜେଶ ବେଉରା ପ୍ରମୁଖ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲା ଲକ୍ଷେଶ୍ୱର ଭଜନ ସନ୍ଧ୍ୟା ଆନୁକୂଲ୍ୟରେ ଆୟୋଜିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ। ଭଜନ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣରେ ଢିଅସାହିର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଅଞ୍ଚଳର ବହୁ ସଂଖ୍ୟକ ଲୋକ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ।
ଅଞ୍ଚଳବାସୀଙ୍କ କହିବାନୁଯାୟୀ, ଆଜିର ଦିନରେ ଯୁବପିଢ଼ି ବିଭିନ୍ନ ଦିଗରେ ବ୍ୟସ୍ତ ରହୁଥିବା ବେଳେ ମା’ ନବମଲ୍ଲିକା ଯୁବକ ସଂଘର ସଦସ୍ୟମାନେ ଏକଜୁଟ ହୋଇ ପାରମ୍ପରିକ ପୂଜା ସହିତ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱକୁ ଗୁରୁତ୍ୱ ଦେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ, ପ୍ରତିଭାକୁ ପ୍ରୋତ୍ସାହନ ଓ ସମାଜରେ ଭାଇଚାରାର ବାର୍ତ୍ତା ପହଞ୍ଚାଇବାର ଏହି ପ୍ରୟାସ ଯୁବ ସମାଜ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି।
ଧାର୍ମିକ ଆସ୍ଥା ସହ ସାମାଜିକ ଚେତନା, ସମ୍ମାନବୋଧ ଓ ସାଂସ୍କୃତିକ ପରମ୍ପରାକୁ ଏକାଠି କରି ମା’ ନବମଲ୍ଲିକା ଯୁବକ ସଂଘ ଯେଉଁ ନୂଆ ଧାରାର ଆୟୋଜନ କରିଛି, ତାହା ଅରଡିଆପଦା ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରିବେଶକୁ ଆହୁରି ସମୃଦ୍ଧ କରିବ ବୋଲି ମତ ପ୍ରକାଶ ପାଇଛି। ଯୁବପିଢ଼ିର ଏଭଳି ସକାରାତ୍ମକ ପଦକ୍ଷେପ ଜାରି ରହିଲେ ଅଞ୍ଚଳରେ ସାମାଜିକ ସଦ୍ଭାବ, ଏକତା ଓ ବିକାଶର ଧାରା ଆହୁରି ମଜବୁତ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
