କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ସଙ୍କିର୍ତନ ମହୋତ୍ସବ

କେନ୍ଦ୍ରାପଡ଼ା, ୦୬/୧୧/୨୦୨୬ (ଓଡ଼ିଶା ସମାଚାର)- ସରକାରଙ୍କ ଲୋକ ରଂଜନୀ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡ଼ା ଜିଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ସଙ୍କିର୍ତନ ନୈବେଦ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗିତ ନାଟକ ଏକାଡ଼େମୀ ର ଆର୍ଥିକ ସହଯୋଗରେ ସଂସ୍କାର ଭାରତୀ ସଂଗଠନ ଓ ପାଏଲ ମ୍ୟୁଜିକ ସ୍କୁଲ ର ମିଳିତ ସହାୟତାରେ ଆୟୋଜିତ ଏହି ଭବ୍ୟ ସଙ୍କିର୍ତନ ମହୋତ୍ସବ ହୋଇଥିଲା । ଉତ୍ସବରେ ସଂସ୍କାର ଭାରତୀ ଉତ୍କଳ ପୂର୍ବପ୍ରାନ୍ତ ର ଉପାଧ୍ୟକ୍ଷ ନିତାଇ ଚରଣ ନନ୍ଦ ପୌରୋହିତ୍ୟ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସଙ୍ଗିତ୍ ନାଟକ ଏକାଡ଼େମୀ ର ସଚିବ ଚନ୍ଦ୍ର ଶେଖର ହୋତା ଓ ସମ୍ମାନିତ ଅତିଥି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର , ସମ୍ମାନିତ ଅତିଥି ବିଧାୟକ ଧୃବ ସାହୁ, ସମ୍ମାନିତ ଅତିଥି ପଣ୍ଡିତ ହୃଷିକେଶ ରଥ ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଦେବ ଜୀଉ ଙ୍କୁ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ଉତ୍ସବର ଉଦଘାଟନ କରିଥିଲେ ।

ଉଦଘାଟନୀ ବକ୍ତବ୍ୟ ରଖି ସଚିବ ଶ୍ରୀ ହୋତା କହିଥିଲେ ଯେ ଇଶ୍ୱରଙ୍କ ପାଇଁ ଅନ୍ୟ ସବୁ କଳା ବ୍ୟଂଜନ ହେଲେ ସଙ୍କିର୍ତନ ହିଁ ନୈବେଦ୍ୟ । ନୈବେଦ୍ୟ ରୂପେ ସଙ୍କିର୍ତନ ମାଧ୍ୟମରେ ନିଜକୁ ଇଶ୍ୱରଙ୍କ ନିକଟରେ ସମର୍ପିତ କରାଯାଏ । ଏହି ପ୍ରାଚୀନ ଲୋକ କଳା ର ବ୍ୟାପକ ପ୍ରଚାର ପ୍ରସାର କରି ସମାଜରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଉଛି । ସେହିପରି ଉତ୍ସବରେ ସମ୍ମାନିତ ଅତିଥି ବିଧାୟକ ଅରବିନ୍ଦ ମହାପାତ୍ର ନିଜ ଅଭିଭାଷଣ ରେ କହିଥିଲେ ଯେ ଆମ ସଂସ୍କୃତି ଓ ପରମ୍ପରା ମହାନ୍ । ସଙ୍କିର୍ତନ ଭଳି ସର୍ବାଦୃତ ଲୋକକଳା ମାଧ୍ୟମରେ ସମାଜରେ ଭାଇ ଚାରା ଓ ସଦ୍ଭାବନା ଅତୁଟ ରଖାଯାଇ ପାରିବ । ଉତ୍ସବରେ ମାନ୍ୟବର ବିଧାୟକ ଧୃବ ସାହୁ କହିଲେ ଯେ ସଙ୍କିର୍ତନ ଆମ ଜୀବନ , ସଂସ୍କୃତି ଓ ପରମ୍ପରା ସହିତ ଓତପ୍ରେତ ଭାବେ ଜଡ଼ିତ ।

ଏହି ଲୋକ କଳାର ପ୍ରଚାର ପ୍ରସାର ଓ ସଙ୍କିର୍ତନ କଳାକାର ମାନଙ୍କର ବହୁବିଧ ସମସ୍ୟା ସମ୍ପର୍କରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏଥି ସହିତ ସମ୍ମାନିତ ଅତିଥି ପଣ୍ଡିତ ହୃଷିକେଶ ରଥ ନିଜ ବକ୍ତବ୍ୟରେ ଗୀତା, ଭାଗବତ ର ଅନନ୍ୟ ଉଚାରଣ କରି ସଙ୍କିର୍ତନର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ସଂସ୍କାର ଭାରତୀ ର ଅଧ୍ୟକ୍ଷ ନବଘନ ନାୟକ ସଂଯୋଜନା କରିଥିଲେ । ପଣ୍ଡିତ ପ୍ରତାପ ପତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଉତ୍ସବରେ ୨୦ ଟି ବଛା ବଛା ସଙ୍କିର୍ତନ ମଣ୍ଡଳି ର ୫୦୦ ରୁ ଉଦ୍ଧ୍ୱର୍ କଳାକାର ଅଂଶ ଗ୍ରହଣ କରିଥିଲେ ।

୨୦ ଜଣିଆ ଥିବା ପ୍ରତି ଦଳ ୨୦ ମିନିଟ୍ ଲେଖା ଲିଳା ସଙ୍କିର୍ତନ ପରିବେଷଣ କରିଥିଲେ । ସନ୍ଧ୍ୟା ୭ ଟା ରେ ଆୟୋଜିତ ଉଦଯାପନୀ ଉତ୍ସବରେ ସଂସ୍କାର ଭାରତୀ କେନ୍ଦ୍ରିୟ ଅଧିକାରୀ ନିରଂଜନ ପଣ୍ଡା ଅତିଥି ଭାବେ ଯୋଗଦେଇ କଳାକାର ଓ ସଙ୍କିର୍ତନ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କଳାକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସଂଗଠନର ମହାମନ୍ତ୍ରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଙ୍କିର୍ତନ କଳାକାରମାନେ ନାମାଚାର୍ଯ୍ୟ ବାୟାବାବା ଙ୍କ ନୃସିଂହ ଟିକିରି ମଠ ରୁ ଶୋଭାଯାତ୍ରାରେ ବାହାରି ତିନି ମୁହାଣୀ ଓ କଲେଜ ଛକ ଆଦି ନଗର ପରିକ୍ରମା କରି ସଂସ୍କୃତି ଭବନରେ ପହଂଚି ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂସ୍କୃତି ବିଭାଗ ର କର୍ମଚାରୀ , ପାଏଲ ମ୍ୟୁଜିକ ସ୍କୁଲ ର ପରିଚାଳକ ଦେବାଶିଷ ସାମଲ ଙ୍କ ସମେତ ସଂସ୍କାର ଭାରତୀ କାର୍ଯ୍ୟକର୍ତା ଶ୍ରୀକାନ୍ତ ଦାସ, ଦିଲିପ ଜେନା, ସ୍ଥାନୀୟ ସରପଂଚ ପ୍ରତିନିଧି ଦିଲିପ କୁମାର ସାହୁ ,ଜୟଦେବ ସାହୁ ଓ ଆରଏସଏସ ସଂଘ କାର୍ଯ୍ୟକର୍ତା ବିନୋଦ ବିହାରୀ ଦାଶ ଓ କେନ୍ଦ୍ରାପଡ଼ା ସଂଘ ପ୍ରଚାରକ ପ୍ରସନ୍ନଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *