ଜାତୀୟ ପ୍ରେସ୍ ଦିବସ ପାଳନ ନେଇ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରସ୍ତୁତି କମିଟି ବୈଠକ

ଭୁବନେଶ୍ୱର,୧୪/୦୯/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗ ସେତୁ ଭାବେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପରିପ୍ରେକ୍ଷୀରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଦୀର୍ଘ ୧୯ ବର୍ଷ ଧରି ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ କରି ଆସୁଅଛି । ଚଳିତବର୍ଷ ଏହି ପ୍ରେସ୍ ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସହିତ ରାଜ୍ୟଶାଖା କର୍ମକର୍ତାମାନଙ୍କର ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଆସନ୍ତା ଜାତୀୟ ପ୍ରେସ୍ ଦିବସ ପାଳନ ପୂର୍ବରୁ ସାମ୍ବାଦିକତା ବିଭାଗ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱର୍ଣ୍ଣପଦକ ବିଜେତାମାନଙ୍କୁ ଦିଆଯାଉଥିବା ସ୍ମାରକୀ ସିଲ୍ଡ଼ ଗୁଡ଼ିକର ସମ୍ମାନ ବୃଦ୍ଧି ଦିଗରେ ଆଲୋଚନା କରାଯାଇଥିଲା । ଏପର୍ଯ୍ୟନ୍ତ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି, ପ୍ରଦୁ୍ୟମ୍ନ ବଳ, ବରେନ୍ଦ୍ରକୃଷ୍ଣ ଧଳ, ଗୋପାଳକୃଷ୍ଣ ମିଶ୍ର, ରାମହରି ମିଶ୍ର, ଦିଲ୍ଲୀପ ଶତପଥୀ, ଡଃ ଅରୁଣ କୁମାର ପଣ୍ଡା ଓ ଅରିନ୍ଦମ ଦାଶଙ୍କ ସ୍ମୃତିରେ ସ୍ମାରକୀ ସିଲ୍ଡ଼ ପ୍ରଦାନ କରାଯାଇଥିବା ସ୍ଥଳେ ଚଳିତବର୍ଷ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ସ୍ମୃତିରେ ସ୍ମାରକୀ ସିଲ୍ଡ଼ ପ୍ରଦାନ କରାଯିବ ।

ଏଥିସହିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନଙ୍କ ନିିମତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାକୁ ଉତ୍ସବର ୧୫ ଦିନ ପୂର୍ବରୁ ଆୟୋଜନ କରାଯିବ ବୋଲି ଆଲୋଚନାରେ ସ୍ଥିର କରାଯାଇଛି । ପ୍ରତିବର୍ଷ ଭାରତୀୟ ପ୍ରେସ୍ କାଉନସିଲ୍ ପକ୍ଷରୁ ଆଲୋଚନାର ବିଷୟବସ୍ତୁ ସ୍ଥିର କରାଯାଉଥିବା ବେଳେ ଏହି ବିଷୟକୁ ମୁଖ୍ୟ ପ୍ରସଙ୍ଗ ଭାବେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଗ୍ରହଣ କରିଥାଏ । ଏହି ଉତ୍ସବରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ରସୂଚନା କାର୍ଯ୍ୟାଳୟ, ଆକାଶବାଣୀ, ଦୂରଦର୍ଶନ, ଆଂଚଳିକ, ଆଉଟ୍ ରିଚ୍ ବୁ୍ୟରୋର ସହଯୋଗ ପ୍ରଦାନ କରି ଆସୁଛନ୍ତି ।

ଏହି ଧାରାକୁ ବଜାୟ ରଖି ମନ୍ତ୍ରଣାଳୟ ପକ୍ଷରୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ନିମିତ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତିି ହୋଇଛି ।
ଜାତୀୟ ପ୍ରେସ୍ ଦିବସର ମୁଖ୍ୟ ଉତ୍ସବରେ ଓଡ଼ିଶାର ସମ୍ବାଦପତ୍ରର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କୁ “ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ” ଦିଆଯିବା ସହିତ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟର ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ “ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ” ପ୍ରଦାନ କରାଯିବ । ୬୫ ବର୍ଷ ବୟସ ଏବଂ ତଦୁଦ୍ଧ୍ୱର୍ ଅନୁ୍ୟନ ଥରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଥିବା ସାମ୍ବାଦିକମାନଙ୍କୁ ବେସରକାରୀସ୍ତରରେ ସମଗ୍ର ଦେଶରେ କେବଳ ଓଡ଼ିଶାରେ ପେନସନ ଦେବା ବ୍ୟବସ୍ଥାକୁ ଚାଲୁ ରଖିବା ନିମିତ କଲ୍ୟାଣ ବୋର୍ଡ଼ ନିଷ୍ପତି ଗ୍ରହଣ କରିଛି ।

ଏହି ପେନସନ ବ୍ୟବସ୍ଥାକୁ ଦେଶର ଅନେକ ରାଜ୍ୟର ସରକାର ବ୍ୟୟ ବହନ କରୁଥିବା ସ୍ଥଳେ ଓଡ଼ିଶା ସରକାର ପେନସନ ବ୍ୟୟ ବହନ କରିବା ପାଇଁ ଅପୌଚାରିକ ଭାବେ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତିି ନିଆଯାଇଛି । ୭୮୭୬ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ନୂଆ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯିବା ଓ ଏହାର ପରିମାଣ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ଆଲୋଚନାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସହ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଏବଂ ରାଜ୍ୟ ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *