କଟକ ସଦର, ୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମପି ଛକରେ ଗତ ୭ ତାରିଖ ସୋମବାର ବିଳମ୍ବିତ ରାତିରେ ଏକ ଅଜଣା ହାଇୱ। ଚକାତଳେ ଦୁଇଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା।ଏ ସମ୍ପର୍କରେ ପୋଲିସ ପକ୍ଷରୁ ‘ ହିଟ୍ ଆଣ୍ଡ ରନ୍’ ମାମଲା ରୁଜୁ କରାଯାଇ ଏସିପି ସୁଧାଂଶୁ ଭୁଷଣ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଟିମ୍ ତଲାସୀ ଚଳାଇ ଦୂର୍ଘଟଣା ଘଟାଇଥିବା ଗାଡ଼ିକୁ ଠାବ କରିବାରେ ଲାଗି ପଡ଼ିଥିଲେ।
ବିଭିନ୍ନ ସ୍ଥାନର ସିସି ଟିଭି ଆଧାରରେ ପୋଲିସ ଓଡି ୦୫ ସିଏ ୪୭୭୭ ହାଇୱ। ଟ୍ରକକୁ ଠାବ କରି ଜବତ କରିବା ସହିତ ଡ୍ରାଇଭର ଭଦ୍ରେଶ୍ୱର ଥାନା ପଣ୍ଡରା ଵରିଆ ଗ୍ରାମର କାଳିଆ ଓରଫ ପିପିନା ନାୟକ(୩୭)କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ରେ ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲ୍ କୁ ପଠାଇ ଦିଆଯାଇଛି। ଏହି ଦୂର୍ଘଟଣାରେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଅଞ୍ଚଳର ଜିତେନ୍ଦ୍ର ବେହେରା ଓ ନିଆଳି ଅଡସପୁର ଅଞ୍ଚଳର ଅମିତ୍ ନାୟକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତ ୮ ତାରିଖ ମଙ୍ଗଳବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।
