Breaking News : ସମ୍ବଲପୁରରେ ପୁଲିସର ଏନକାଉଣ୍ଟର;କୁଖ୍ୟାତ ଅପରାଧୀ ଇରଫାନ୍ ଆହତ ଦୁଇ ସହଯୋଗୀ ମଧ୍ୟ ଗିରଫ

ସମ୍ବଲପୁର,୧୩/୦୯/୨୦୨୬ (ଓଡ଼ିଶା ସମାଚାର)- ଆଜି ରବିବାର ଭୋର ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ସଦର ଥାନା ପୁଲିସର ଏନକାଉଣ୍ଟର ରେ କୁଖ୍ୟାତ ଅପରାଧୀ ଇରଫାନ୍ ଆହତ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ ପୋଲିସ ଟିମ୍ ରାସନପୁର କେନାଲ ରୋଡସ୍ଥିତ ସୁଦୁଙ୍ଗା ଜଙ୍ଗଲ ନିକଟରେ ଯାଞ୍ଚ କରୁଥିଲା। ଏହି ସମୟରେ ଏକ କଳା ରଙ୍ଗର ବଜାଜ ପଲସର ମୋଟରସାଇକେଲ (ଓଡି-୧୫ ଏବି-୩୬୭୪)ରେ ଇରଫାନ ତାଙ୍କ ଦୁଇ ସହଯୋଗୀଙ୍କ ସହ ଆସୁଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଦୁଇ ସହଯୋଗୀଙ୍କୁ କାବୁ କରିଥିଲା। ତେବେ ଇରଫାନ ପୋଲିସ ଉପରକୁ ୩ ରାଉଣ୍ଡ ଅତର୍କିତ ଗୁଳିଚାଳନା କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା।

ପରେ ପୋଲିସ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଭାବେ ୨ ରାଉଣ୍ଡ ପାଲଟା ଗୁଳିଚାଳନା କରିଥିଲା। ଇରଫାନ ର ବାମ ଗୋଡ଼ରେ ଗୁଳି ବାଜିଥିଲା। ସେ ଆଉ ଖସିପାରିନଥିଲା । ଗୁଳିବିଦ୍ଧ ଇରଫାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି କରାଯାଇଛି। ସୁନାପାଲିର ମହମ୍ମଦ ଇରଫାନ୍ ଜଣେ ଅଭିଜ୍ଞ ଅପରାଧୀ ଯିଏକି ଡକାୟତି, ଲୁଟ୍, ଆଲୁମିନିୟମ୍ ତାର ଚୋରି, ଚୋରି ଏବଂ ନିଶା ଦ୍ରବ୍ୟ କାରବାର ଭଳି ୨୪ରୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ରହିଛି। ଘଟଣାସ୍ଥଳରୁ ଗୁଳି ସହିତ ଏକ ପିସ୍ତଲ ଏବଂ ୩ଟି ଖାଲି କାର୍ଟ୍ରିଜ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ବ୍ୟବହାର କରୁଥିବା ମୋଟରସାଇକେଲ୍କୁ ମଧ୍ୟ ଜବତ କରାଯାଇଛି। ଇରଫାନ ର ଦୁଇ ସହଯୋଗୀ ମହମ୍ମଦ ଇମ୍ରାନ ଓ ଦୀପକ କୁମାରଙ୍କୁ ପୋଲିସ କାବୁ କରିଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *