ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ , ୫ ବନ୍ଧୁକ, ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ

ଗଞ୍ଜାମ, ୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ରେ ଏକ ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ କରାଯାଇଛି । ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି ୫ଟି ଏସ୍ବିଏମ୍ଏଲ୍ (ସିଙ୍ଗଲ ବ୍ୟାରେଲ୍ ମଜଲ୍ ଲୋଡିଂ) ବନ୍ଧୁକ ସମେତ ବନ୍ଧୁକ ନିର୍ମାଣରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ୧୧ ତାରିଖ ରାତି ପ୍ରାୟ ୨ଟା ସମୟରେ ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି-ଗୋପନାଗର ଛକ ଅଞ୍ଚଳରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାରସିଂ ଥାନା ଓ ଗାଲେରୀ ପୋଲିସର ମିଳିତ ଟିମ୍ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ପୋଲିସ ବିଲେଇଶାହି ଗ୍ରାମର ୩ ଜଣଙ୍କୁ ଗିରଫ କରିଥିଲା। ତଲାସି ବେଳେ ସେମାନଙ୍କ ନିକଟରୁ ୫ଟି ଦେଶୀ ଏସ୍ବିଏମ୍ଏଲ୍ ବନ୍ଧୁକ ଜବତ ହୋଇଥିଲା।
ଏଥିସହ ଗୋପନାଗର ଛକ ହାଟରେ ଥିବା ସନ୍ଦିଗ୍ଧ ବନ୍ଧୁକ ନିର୍ମାଣସ୍ଥଳରୁ ୧ଟି ସ୍ନାଇଡର୍, ୨ଟି ଡ୍ରିଲ୍ ମେସିନ୍, ୨ଟି ବ୍ଲୋଅର୍, ୨ଟି ଇଲେକ୍ଟ୍ରିକ୍ ପାଲୁ ମେସିନ୍, ୧ଟି ଇଲେକ୍ଟ୍ରିକ୍ କଟର, ୧ଟି ଟ୍ରିଗର ମେକାନିଜମ୍, ୪ଟି ହାମର୍, ୨ଟି ଭାଇସ୍ ପ୍ରେସ୍ ମେସିନ୍, ୨ଟି ହ୍ୟାଣ୍ଡ ପାଲୁ ମେସିନ୍, ୩ଟି ଚିମୁଟା, ୨ଟି ହଲୋ ରଡ୍, ୪ଟି ଫାଇଲ୍, ୧ଟି ମଜଲ୍ ବ୍ୟାରେଲ୍, ୧ଟି ମୋଟର, ୧ଟି ଆରି/କଟର ଏବଂ ୧ଟି ଶାର୍ପେନିଂ ଷ୍ଟୋନ୍ ଜବତ କରାଯାଇଛି।
ପୋଲିସର କହିବା ଅନୁଯାୟୀ, ଜବତ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ତିଆରି ଯନ୍ତ୍ରପାତିରୁ ଉକ୍ତ ସ୍ଥାନରେ ବେଆଇନ ଭାବେ ବନ୍ଧୁକ ତିଆରି ହେଉଥିବାର ପ୍ରମାଣ ମିଳିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ଏଠାରେ ବନ୍ଧୁକ ତିଆରି କରି ବେଆଇନ ଭାବେ ଲୋକଙ୍କୁ ଯୋଗାଉଥିବା ନେଇ ସୂଚନା ଦେଇଥିବା ପୋଲିସ ପ୍ରକାଶ କରିଛି।
ଏନେଇ ତାରସିଂ ଥାନାରେ କେସ୍ ନଂ. ୩୩୭/୧୨.୦୯.୨୦୨୬ ରୁଜୁ ହୋଇଛି। ଆର୍ମସ୍ ଆକ୍ଟର ଧାରା ୨୫(୧)(ବ), ୨୫(୧-ବି)(ବ) ଓ ୨୫(୧-ବି)(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାରସିଂ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବେଆଇନ ବନ୍ଧୁକ ନିର୍ମାଣ, ବିକ୍ରି ଓ ଯୋଗାଣରେ ସମ୍ପୃକ୍ତ ନେଟୱର୍କ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କଞ୍ଚାମାଲର ଉତ୍ସ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *