କଟକ ସଦର, ୧୪/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୁଅକୁ ଶଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗରେ ଆଜି ସୋମବାର ସନ୍ଧ୍ୟାରେ କିଶନନଗର ଥାନା ଆଗରେ ଶବ ରଖି ଲୋକମାନେ ରାସ୍ତା ଅବରୋଧ ସହିତ ଧାରଣା ଦେଇଥିବା ଜଣାପଡିଛି। ପ୍ରକାଶ ଯେ କିଶନନଗର ଥାନା ଶଗଡ଼ି ପାଟଣା ଗ୍ରାମର ଅରୁଣ ଦେହୁରୀ ଙ୍କ ପୁଅ ଶିଵ ଦେହୁରୀ ଗତକାଲି ରବିବାର ଦିନ ଟାଙ୍ଗୀ ଥାନା ଭଗତପୁର ତେଲିଆପଡାକୁ ଯାଇଥିଲେ। ସେଠାରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ସେଠାରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ଏଥିପାଇଁ ପୋଲିସ ପକ୍ଷରୁ ଶବ ବ୍ୟବଛେଦ କରାଯିବା ପରେ ଶଶୁର ଘର ଲୋକମାନେ ଅପରାହ୍ନରେ ଶଗଡ଼ି ପାଟଣା କୁ ଶବ ଆଣିଥିଲେ। ଏହି ମୃତ୍ୟୁ ସ୍ୱ।ଭାଵିକ ମୃତ୍ୟୁ ନୁହେଁ,ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ଏହାର ଉପଯୁକ୍ତ ତଦନ୍ତ ଦାବିରେ ଥାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଶବ ନେଇ ଆସିଥିବା ଶଶୁର ଘରର କିଛି ଲୋକ ଓ ମୃତକଙ୍କ ସ୍ତ୍ରୀ ମାନି ସାମଲଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ସମସ୍ୟାର କିଛି ସମାଧାନ ହୋଇ ନଥିବା ଜଣାପଡ଼ିଛି।
