କୁଖ୍ୟାତ ଡକାୟତ ଟୁନା ସମେତ ୯ ଗିରଫ

                                       ୫ ଦେଶୀ ବନ୍ଧୁକ ସହ ୫୦ ଲକ୍ଷର ସୁନା ରୁପା ଜବତ
ଜୟପୁର, ୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ଆନ୍ତଃରାଜ୍ୟ ଅପରାଧୀ ଟୁନା ସମେତ ୯ ଗିରଫ । ଲକ୍ଷାଧିକ ଟଙ୍କା,ବନ୍ଧୁକ ସହ ଗୁଳି ଜବତ । ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟାଉଥିଲେ ଅପରାଧ । କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର । ଚାରି ଜିଲା ସମେତ ପଡୋଶୀ ରାଜ୍ୟକୁ ଲମ୍ବିଥିଲା ଚେର । ଅଗଷ୍ଟ ୨୫ରେ ପୋଲିସ ଉପରକୁ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ସହ ୯ ଜଣକୁ ଗିରଫ କରିଛି ବୋରିଗୁମା ପୋଲିସ । ୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା, ରୁପା ସହ ଅନେକ ମାରଣାସ୍ତ୍ର ସାଙ୍ଗକୁ ବନ୍ଧୁକ, ଜୀବନ୍ତ ଗୁଳି ଜବତ କରିଛି ପୋଲିସ ।

ସେଦିନ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ଓରଫ୍ ସିମନ ନାଗ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୋଲିସ । ଗିରଫ ଟୁନାକୁ ଛତିଶଗଡ଼ ଜଗଦଲପୁର ରୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଟୁନା ହରିଜନ, ରାମ ହରିଜନ, ମଙ୍ଗଳଦାନ ହରିଜନ, ପୁରନ୍ଦର ସରାଫ, ମହିନ୍ଦ୍ର ମେହେର, ମୋହନ ଆଚାର୍ଯ୍ୟ, ବେଣୁମାଧବ ଷଡ଼ଙ୍ଗୀ, ରାଜେଶ ବିଷୋୟୀ ଏବଂ ନିଳୁ ସାମନ୍ତରାୟ । କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଗତ ୩ତାରିଖରେ ଜଗଦଲପୁରରୁ କାବୁ କରିଥିଲା ।

ପୁରା ଘଟଣାର ପର୍ଦ୍ଧାଫାସ ପରେ ରିମାଣ୍ଡ ଅବଧି ଶେଷ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଜେରା ବେଳେ ବିଭିନ୍ନ ମନ୍ଦିର, ଚୋରି, ଡକାୟତି ଏବଂ ବାଡ଼ିଗାଁ ସିନ୍ଧିଚୋରି ସହ ପୋଲିସ ଆକ୍ରମଣ ଭଳି ଏକାଧିକ ଘଟଣାରେ ନିଜର ସମ୍ପୃକ୍ତି ସ୍ୱୀକାର କରିଛି ଅପରାଧି ଟୁନା । ତାର ନାମରେ ବିଭିନ୍ନ ଜିଲାରେ ୪୦ରୁ ଅଧିକ ମାମଲା ଓ ଛତିଶଗଡରେ ୧୦ଟି ମାମଲା ରହିଛି । ନଗଦ ୫୦ ହଜାର ଟଙ୍କା ବାଇକ ସମେତ ୪ଟି ଗାଡ଼ି ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *