ଜ଼ିଲ୍ଲା ସ୍ତରୀୟ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧି ଦିବସ ପାଳିତ

ଜଗତସିଂହପୁର ୧୫/୧୧/୨୦୨୩ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧି ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ବୁଧବାର ଦିନ ଏହି ଦିବସ ପାଳନ କରାଯାଇଥାଏ । ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହା ଏକ ଫୁସଫୁସ ଜନିତ ରୋଗ, ଯେଉଁଥିରେ ଫୁସଫୁସ ମଧ୍ୟରେ ଥିବା ସୁକ୍ଷ୍ମ ଶ୍ୱାସନଳୀ ଗୁଡିକ କ୍ଷତିଗ୍ରସ୍ଥ ହୋଇ ଅକାମୀ ହୋଇପଡନ୍ତି ଓ ଅମ୍ଳଜାନ ପରିବହନ ଶଙ୍କାଜନକ ଭାବେ ହ୍ରାସ ପାଏ । ଦୂଷିତ ବାୟୁମଣ୍ଡଳରେ ଦୀର୍ଘଦିନ ଧରି ବାସକଲେ, କଳାକାରଖାନାରୁ ନିର୍ଗତ ଧୂଆଁ , ଧୂଳି ଆଦି ବ୍ୟାପୁଥିବା ଅଞ୍ଚଳରେ ରହିବାଦ୍ୱାରା ବ୍ୟାପିଥାଏ । ତେଣୁ ପରିବେଶ ପ୍ରଦୂଷଣକୁ ରୋକିବା ଓ ଧୂଆଁହୀନ ଚୂଲି , ଗ୍ୟାସ ଆଦି ଚୁଲା ବ୍ୟବହାର କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିମାଇଁ ଚରଣ ନାୟକ ଏହି ରୋଗରେ ଫୁସଫୁସର ସଂକ୍ରମଣର ତୀବ୍ରତା, ଚିକିତ୍ସା ବିଷୟରେ ଅବଗତ କରିବା ସହ ଧୁମ୍ରପାନ ବର୍ଜନ, ଉତ୍ତମ ବାୟୁ ଚଳାଚଳ ଗୃହରେ ବାସ କରିବା , ଖାଦ୍ୟ, ପାନୀୟ ଓ ବିଶ୍ରାମର ସଞ୍ଜମତା ରଖିବା, ଯଦି ଏଭଳି କିଛି ଲକ୍ଷଣ ଯଥା ବହୁଦିନ ଧରି କାଶ ହେବା, କାଶରେ କଫ ପଡିବା , ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା, ଓଜନ କମିବା ,ହାଲିଆ ଲାଗିବା, ଭୋକ ନ ହେବା ଆଦି ଥିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଏହି ଫୁସଫୁସ ଜନିତ ରୋଗର ପ୍ରତିରୋଧ ନିମନ୍ତେ ଧୂଳି ଧୂଆଁ ଆଦି ନିୟନ୍ତ୍ରଣ ଓ କଳକାରଖାନା ଯଥା କରତ କଳ ,ତୁଳା କାରଖାନା ,ପଥର ଚୁନା କରୁଥିବା କାରଖାନା ଇତ୍ୟାଦିରେ କାମ କରୁଥିବା ଲୋକ ସଚେତନ ହେବଓ ସହ ଯୋଗ ପ୍ରାଣାୟାମ ଆଦି କରିବା ଓ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବକ୍ତବ୍ୟ ରଖିଥିଲେ । ମେଡିକାଲ ଅଫିସର ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଡାକ୍ତର ଆଶିଷ କୁମାର ନାୟକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ରୋଗର ପ୍ରତିରୋଧ ଓ ଚିକିତ୍ସା, ଖାଦ୍ୟାଭ୍ୟାସର ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଏ ବର୍ଷର ବାର୍ତ୍ତା ” ନିଶ୍ୱାସ ହିଁ ଜୀବନ -ବେଳହୁଁ ପଦକ୍ଷେପ ନିଅନ୍ତୁ ” ଉପରେ ବକ୍ତବ୍ୟ ରଖିଥିଲେ । ବାୟୁ ବିନା ଜୀବନ ଅସମ୍ଭବ, ତେଣୁ ପରିବେଶ ସୁସ୍ଥତା ରଖିଲେ ହିଁ ଆମେ ସୁସ୍ଥ ବାୟୁ ଗ୍ରହଣ କଲେ ଏ ରୋଗର ପ୍ରତିରୋଧ କରିପାରିବା । ମହିମା କଲେଜ ଅଫ ନର୍ସିଂ, ନାରାୟଣୀ ସ୍କୁଲ ଅଫ ନର୍ସିଂ ଛାତ୍ରଛାତ୍ରୀ ଓ ମହିଳା ଆରୋଗ୍ୟ ସମିତିର ମେମ୍ବର ମାନଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇଥିଲା । କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ ମହିଳା ଆରୋଗ୍ୟ ସମିତି ୱାଡ଼ ନମ୍ବର ୯,୧୦,୧୨,୧୩,ଓ ୧୫ ର ମେମ୍ବର, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏପିଡୋମିଓ ଲୋଜିଷ୍ଟ ଡାକ୍ତର ସ୍ମୁତିରଞ୍ଜନ ପଣ୍ଡା ଆଶାମାନକୁ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ ଦେବା ସହ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *