୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ଧରିଲା , ଖଲିକୋଟ ଥାନାର ASI ସୁଜିତ୍ ପାଣିଗ୍ରାହୀ ଗିରଫ

କଟକ,୧୨/୦୯/୨୦୨୬ (ଓଡ଼ିଶା ସମାଚାର)-ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାର ASI ସୁଜିତ୍ ପାଣିଗ୍ରାହୀଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ  ଙ୍କ ସୂଚନା ଅନୁସାରେ ଗତ କାଲି ୧୧.୦୯.୨୦୨୬ ତାରିଖ ବିଳମ୍ବିତ ରାତିରେ, ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାର ASI ସୁଜିତ୍ ପାଣିଗ୍ରାହୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାଯାଇଥିଲା।

ସେ ଉକ୍ତ ଥାନାରେ ପଞ୍ଜୀକୃତ ଏକ ମାମଲାରେ (ଯାହାର ସେ ତଦନ୍ତକାରୀ ଅଧିକାରୀ ଥିଲେ) ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବଦଳରେ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ, ସମ୍ପୃକ୍ତ ବ୍ୟକ୍ତି (ଅଭିଯୋଗକାରୀ) ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଉକ୍ତ ଅଭିଯୋଗ ଆଧାରରେ ୧୧.୦୯.୨୦୨୬ ତାରିଖରେ ଏକ ଯୋଜନାବଦ୍ଧ ଚଢ଼ଉ (ଟ୍ରାପ୍) କରାଯାଇଥିଲା। ଏଥିରେ ଅଭିଯୁକ୍ତ ASI ସୁଜିତ୍ ପାଣିଗ୍ରାହୀଙ୍କୁ ଖଲିକୋଟ ଥାନା ପରିସର ମଧ୍ୟରେ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ କାବୁ କରିଥିଲା।

ସାକ୍ଷୀମାନଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଥିଲା। ତାଙ୍କ ଡାହାଣ ହାତ ଏବଂ ପ୍ୟାଣ୍ଟ ପକେଟ୍ ଧୋଇବା ପରେ ରାସାୟନିକ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଥିଲା, ଯାହା ସେ ଲାଞ୍ଚ ଟଙ୍କା ନେଇଥିବା ଓ ସ୍ପର୍ଶ କରିଥିବାର ପ୍ରମାଣ ଦେଇଥିଲା। ଏହି ଚଢ଼ଉ ପରେ, ଖଲିକୋଟ ସ୍ଥିତ ଶ୍ରୀ ପାଣିଗ୍ରାହୀଙ୍କ ସରକାରୀ ବାସଗୃହ ଏବଂ କାର୍ଯ୍ୟାଳୟ କକ୍ଷରେ ଏକକାଳୀନ ତଲାସୀ ଅଭିଯାନ ଚଳାଯାଇଥିଲା। ଅଭିଯୁକ୍ତ ASI ସୁଜିତ୍ ପାଣିଗ୍ରାହୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନଂ ୯ (ତାରିଖ ୧୧.୦୯.୨୦୨୬), ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *