କେନ୍ଦ୍ରାପଡ଼ା, ୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ୩ମାସର ବକେୟା ଦରମା ପ୍ରଦାନ, ଇପିଏଫ ଓ ସିଏସଆଇ ସୁବିଧା ଯୋଗାଇ ଦେବା ଦାବିରେ ଅଭିରାମ ଏଜେନ୍ସି ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ସଫେଇ କର୍ମଚାରୀମାନେ ଧାରଣାରେ ବସିରହିଛନ୍ତି । ସେମାନଙ୍କର ଦାବି ହେଉଛି ଯେ ସେମାନେ ଚଳିତ ବର୍ଷ ଜୁନମାସ ପହିଲାରୁ ହାଉସକିପିଂକର୍ମଚାରୀ ବା ସଫେଇ କର୍ମଚାରୀ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ସେମାନଙ୍କୁ ଅଦ୍ୟାବଧି କୌଣସି ଦରମା ପ୍ରଦାନ କରାଯାଇନଥିବା ବେଳେ ସେମାନଙ୍କୁ ଇପିଏଫ ଓ ସିଏସଆଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।
ଏସମ୍ପର୍କରେ ସେମାନେ ବାରମ୍ବାର ସଂପୃକ୍ତ ନିଯୁକ୍ତି ସଂସ୍ଥା ନିକଟରେ ଦାବି କରିଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ସୁପରଭାଇଜର ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେବାର ଧମକ ଦେଇ ସେମାନଙ୍କ ସ୍ୱରକୁ ଚାପିଦେଉଛି । ଏହି କାର୍ଯ୍ୟରେ ନିୟୋଜିତ ଗରୀବ କର୍ମଚାରୀମାନେ ଦରମା ନପାଇବାରୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଓଳିଏ ଖାଇଲେ ଆର ଓଳିକୁ ସେମାନେ ଉପବାସ ରହୁଛନ୍ତି । କିନ୍ତୁ ନିଯୁକ୍ତିଦାତା ସଂସ୍ଥା ସେମାନଙ୍କ ଦୁଃଖ ବୁଝିବାତ ଦୁରର କଥା ବରଂ ସେମାନଙ୍କୁ ଚାକିରୀରୁ ବିଦା କରିଦେବାକୁ ଧମକ ଦେଉଛି ବୋଲି ସେମାନେ ଅଭିଯୋଗ କରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଫେଇ କର୍ମଚାରୀମାନେ ଧାରଣା ଦେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କୁଢ କୁଢ ଅଳିଆ ଗଦା ହୋଇରହିଛି । ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରାଯିବାକୁ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଏବଂ ସେମାନଙ୍କ ସାହାଯ୍ୟକାରୀମାନେ ଦାବି କରିଛନ୍ତି ।
କର୍ମଚାରୀମାନେ ଅଜୟ ଗୋଛାୟତ, ଜ୍ୟୋତିରଞ୍ଜନ ଜେନା, ରବିନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସୁଜାତା ମଳିକ, ମମତା ମଳିକ, ଝୁନୁ ମାଝୀ, ଜ୍ୟୋସ୍ନôା ଗୋଡଛାୟତ, ମାନିନୀ ମଳିକ, ଅନୁ ମଳିକ, ଭାରତୀ ମଳିକ, ବନ୍ଦନା ଗୋଛାୟତ, କବିତା ନାୟକ, ପ୍ରମିଳା ନାଥ, ଜୟନ୍ତୀ ଗୋଛାୟତ, ଟୁନି ବେହେରା, ସୁମିତ୍ରା ବାରିକ, ପ୍ରଭାତି ଗୋଛାୟତ, ଝିଲି ଗୋଛାୟତ, ସସ୍ମିତା ରାଉତ, ଶିବାନୀ ବାରିକ, ଲକ୍ଷ୍ମୀ ହେମ୍ବ୍ରମ, ସିଦ୍ଧାନ୍ତ ଦାସ, ମନୋଜ ମଲିକ, ବାମଦେବ ପାତ୍ର, ନିରଞ୍ଜନ ମଲିକ, ସପ୍ତଦଳ ପରିଡା, ଶଙ୍କର ମଳିକ ପ୍ରମୁଖ ୮୫ କର୍ମଚାରୀ ଧାରଣାରେ ବସିରହିଥିଲେ ।
