ବେଲପାଳ ପଂଚାୟତ ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

କେନ୍ଦ୍ରାପଡ଼ା,୧୩/୯/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମ ପଂଚାୟତର ସରପଂଚ ତିଳୋତମା ବରାଳଙ୍କୁ ବହିଷ୍କାର କରିବା ପାଇଁ ପଂଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ ଉପଜିଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରସ୍ତାବ ଆଗତ କରିଛନ୍ତି । ୱାର୍ଡ ସଭ୍ୟ/ସଭ୍ୟାମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରପଂଚ ଶ୍ରୀମତୀ ବରାଳଙ୍କ ବେଆଇନ କାରବାର, ଦୁର୍ନୀତି, ପଂଚାୟତରେ ଅନୁପସ୍ଥିତ ରହିବା ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବାରୁ ତାଙ୍କ ବିରୁଦ୍ଧରେ ଓଡିଶା ଗ୍ରାମ ପଂଚାୟତ ଆଇନ ୧୯୬୪ର ଧାରା ୨୪ ଓ ଉପଧାରା ୧ ଏବଂ ୨ ଅନୁସାରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଏ ସମ୍ପର୍କରେ ଗତ ୧୧ ତାରିଖରେ ନାଏବ ସରପଂଚ ନଳିନୀକାନ୍ତ କୁଣ୍ଡଙ୍କ ସଭାପତିତ୍ୱରେ ବେଲପାଳ ଗ୍ରାମଦେବୀ ସିଦ୍ଧବାସୁଳାଇଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀକାଳୀନ ବୈଠକ ବସିଥିଲା । ସେହି ବୈଠକରେ ସର୍ବସମ୍ମତିକ୍ରମେ ସରପଂଚଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଉପଜିଲାପାଳଙ୍କ ନିକଟରେ ଆଗତ କରିବା ପାଇଁ ଗୃହୀତ ହୋଇଥିଲା । ସେହି ଅନୁଯାଇ ପଂଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନଙ୍କର ବିଶ୍ୱାସ ହରାଇଥିବା ସରପଂଚ ଶ୍ରୀମତୀ ବରାଳଙ୍କ ବିରୁଦ୍ଧରେ ଗ୍ରାମପଂଚାୟତ ଆଇନ ଅନୁଯାଇ ବହିଷ୍କାର କରାଯିବାକୁ ଆଗତ ଅନାସ୍ଥା ପ୍ରସ୍ତାବର ତାରିଖ ଧାର୍ଯ୍ୟ କରିବା ପାଇଁ ଉପଜିଲାପାଳଙ୍କୁ ୱାର୍ଡ ସଭ୍ୟ/ସଭ୍ୟାମାନେ ଶୁକ୍ରବାର ଭେଟି ଅଭିଯୋଗ କରିଛନ୍ତି । ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଥିବା ନାଏବ ସରପଂଚ ନଳିନୀ କୁଣ୍ଡ ଓ ଗୀତାଞ୍ଜଳୀ ଥାଟୋଇ, ମମତା ମଞ୍ଜରୀ ସେଠୀ, ସନ୍ଧ୍ୟାରାଣୀ ସ୍ୱାଇଁ, ମିନତୀ ପ୍ରଧାନ, କଳ୍ପତରୁ ସାହୁ, ରଙ୍ଗଲତା ଜେନା ପ୍ରମୁଖ ୱାର୍ଡ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *