୧୪ ଲକ୍ଷରୁ ଅଧିକ ଟଙ୍କା ଜବତ: ଚଢ଼ାଉ ଜାରି
କଟକ,୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ଅଡିଟର ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱରର ପ୍ରଶାନ୍ତ ପ୍ରଧାନ । ସେମାନଙ୍କ ନିକଟରୁ ଲାଂଚ ଟଙ୍କା ବାବଦକୁ ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । 

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ ଙ୍କ ସୂଚନା ଅନୁସାରେ ଗୁଇନ୍ଦା ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା । ଦୁଇ ଅଡିଟର ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ କାମ ସାରି ସରକାରୀ ସ୍କର୍ପିଓ ଯୋଗେ ବାରିପଦା ରକ୍ସି ଲେନ୍ ସ୍ଥିତ ମହାପାତ୍ର ହୋଟେଲକୁ ଫେରୁଥିଲେ । ଭିଜିଲାନ୍ସ ଅଧିକାରୀମାନେ ଅଧା ବାଟରେ ଗାଡ଼ିକୁ ଅଟକାଇ ଯାଂଚ କରିଥିଲେ । ସେମାନଙ୍କ କବଜାରୁ ୫୨ଟି ଲଫାପା ତଥା ୨୦ଟି ଖୋଲା ବିଡ଼ାରେ ରଖାଯାଇଥିବା ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ମିଳିଥିଲା । ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ସେମାନେ ଦେଇପାରି ନଥିଲେ । ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା । 
ସେଠାରୁ ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ମିଳିବାରୁ ସମୁଦାୟ ୧୪ ଲକ୍ଷ ୩୮ହଜାର ୩୪୦ ଟଙ୍କା ଜବତ କରାଯାଇଛି । ଗତ ଅଗଷ୍ଟ ୩୦ ତାରିଖରୁ ଏହି ଦୁଇ ଅଡିଟର ବାରିପଦାରେ ରହି ଅଡିଟ୍ କାର୍ଯ୍ୟ ଚଳାଇଥିଲେ । ସେମାନେ ଆଶ୍ରମ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି ଛାତ୍ରାବାସର ହିସାବ ଯାଂଚ କରୁଥିଲେ । ସମସ୍ତ ପ୍ରଧାନଶିକ୍ଷକ ତଥା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ରେକର୍ଡପତ୍ର ଧରି ବାରିପଦା ଡକାଯାଇଥିଲା । ଅଡିଟ୍ ସୁରୁଖୁରୁରେ ସାରିବା ପାଇଁ ପ୍ରତି ନାମଲେଖା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଦାବି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । 
ଅଡିଟର ଦ୍ୱୟଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି ଏବଂ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଶ୍ରୀ ପ୍ରଧାନ ୧୯୯୬ରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଚାକିରି ଆରମ୍ଭ କରି ୨୦୨୧ରେ ଅଡିଟର ପଦବୀକୁ ପଦୋନ୍ନତି ପାଇଥିଲେ । ସେହିପରି ଶ୍ରୀ ପାତ୍ର ୨୦୨୨ ସେପ୍ଟେମ୍ବରରେ ଅଡିଟର ଭାବେ ଚାକିରି ଆରମ୍ଭ କରିଥିଲେ ।
