୨୨୬ ହିତାଧିକାରୀଙ୍କ ଡାକ୍ତରୀ ପରୀକ୍ଷା
ଡେରାବିଶ,୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଶୁକ୍ରବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୂର୍ବରୁ ଅନ୍ଲାଇନ୍ ଯୋଗେ ଆବେଦନ କରିଥିବା ୨୨୬ ଜଣ ହିତାଧିକାରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ମାନସିକ ବିଭାଗରେ ୩୬, ମେଡିସିନ୍ ବିଭାଗରେ ୨୨, ଶିଶୁ ବିଭାଗରେ ୯ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ଚକ୍ଷୁ ବିଭାଗରେ ୩୨ ଜଣ, ଶ୍ରବଣ ବାଧିତ ବିଭାଗରେ ୩୩ ଜଣ ଓ ଅସ୍ଥିଶଲ୍ୟ ବିଭାଗରେ ୯୪ ଜଣ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ଏହି ଶିବିରରେ ମେଡିସିନ୍ ବିଭାଗର ବିଶେଷଜ୍ଞ ଡା. ଶ୍ରୀକାନ୍ତ ସ୍ୱାଇଁ, ଅସ୍ଥିଶଲ୍ୟ ବିଭାଗରେ ଡା. ସତ୍ୟପ୍ରକାଶ ମହାପାତ୍ର ଓ ଡା. ପ୍ରଶାନ୍ତ କୁମାର ସାହୁ, ମାନସିକ ବିଭାଗରେ ଡା. ଏସ୍. ନାୟକ, ଚକ୍ଷୁ ବିଭାଗରେ ଡା. ସତ୍ୟସୁନ୍ଦର ବିଶ୍ୱାଳ ଓ ଚକ୍ଷୁ ଅଧିକାରୀ ସତ୍ୟବ୍ରତ ଜେନା, ଶ୍ରବଣ ବାଧିତ ବିଭାଗରେ ଡା. ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ଆଚାର୍ଯ୍ୟ, ପାଟକୁରା ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ମନୋରଞ୍ଜନ ଉପାଧ୍ୟାୟ, ଜିଲ୍ଲା ପରିଷଦ ସଭ୍ୟଶ୍ରୀଯୁକ୍ତ ଅରବିନ୍ଦ ମଲ୍ଲିକ ଓ ଶ୍ରୀଯୁକ୍ତ ଧନେଶ୍ୱର ସେଠୀ, ବିଡିଓ ଶ୍ରୀମତୀ ନମିତା ବାରିକ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏବଂ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ପରୀକ୍ଷା କରାଯିବା ପାଇଁ ଆଜିର ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ପ୍ରଥମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା ଏହି ଶିବିରର ଉଦ୍ଦେଶ୍ୟ ଓ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଭିନ୍ନକ୍ଷମ ମାନଙ୍କ ପାଇଁ କରାଯାଇଥିବା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କିରଣବାଳା ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗରଦପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚୌଧୁରୀ ଦୀପକ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସହାୟିକା ମନସ୍ମିତା ସାହୁ, ଅନିଲ କୁମାର ସେଠୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମକୁ ଅତିରିକ୍ତ ବିଡ଼ିଓ ମୃଣୟ ରାଉତ ସଂଚାଳନ କରିଥିଲେ ।
