ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବୈଠକ ଓ ସାମ୍ୱାଦିକ ସମ୍ମିଳନୀ

ଜଗତସିଂହପୁର,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ସ୍ଥାନୀୟ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଶ୍ୱ ଇତିହାସରେ ଜଗତସିଂହପୁର ଜିଲ୍ଲା ପ୍ରତିଷ୍ଠିତ । ଶିଳ୍ପ କ୍ଷେତ୍ରରେ  ଜଗତସିଂହପୁର ଜିଲ୍ଲାର ଉନ୍ନତି ପାଇଁ JSW ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନିଯୁକ୍ତି ଓ ବିକାଶର ପଥ।  ପାରାଦ୍ଵୀପ ପୋର୍ଟ ର ପଣ୍ୟ ପରିବହନ ସଫଳତା ଜିଲ୍ଲା ପାଇଁ ବିକାଶର ରଥ । ୨୧୦୪ କୋଟି ଟଙ୍କା ର ପ୍ରକଳ୍ପ ଜଟାଧାରୀ ମୁହାଣ କ୍ୟାପ୍ଟିଭ ଜେଟି ଅନୁମୋଦିତ ପ୍ରକଳ୍ପ ରେ ବିଳମ୍ବ ନ ହେବା ପାଇଁ ରାଜ୍ୟ ସରକାର ଚେଷ୍ଟିତ।

ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ସ୍ମାର୍ଟ ମିଟର ଏକ ଅଭିନବ ପଦକ୍ଷେପ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ୩୦୦ ୟୁନିଟ ମାଗଣା ବିଜୁଳି  ପାଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସମୟରେ ହିଁ ଅନ୍ ଲାଇନ୍ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଉପଦେଶ ଦେଇଥିଲେ, ଯାହା ଫଳରେ ଗୃହ ନିର୍ମାଣ ସରୁସରୁ ସେମାନେ ବିଜୁଳି ପାଇ ପାରିବେ। ଶୂନ୍ୟ ଚାଷୀ ଆତ୍ମହତ୍ୟା ଏହି ସରକାରଙ୍କ ବଡ଼ ଉପଲବ୍ଧି । ବିଦ୍ୟୁତ ସମସ୍ୟା ର ଅଭିଯୋଗ ପହଞ୍ଚାଇବା ପାଇଁ ସମସ୍ତଙ୍କୁ କହିଥିଲେ ଏବଂ ନିଶ୍ଚିତ ଭାବରେ ସମସ୍ୟା ଦୂରୀଭିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସରକାର ପ୍ରତ୍ୟେକ ଟି ସମସ୍ୟା ଦୂର କରିବାର ପ୍ରୟାସ ସଦା ସର୍ବଦା ଚେଷ୍ଟା କରୁଛି ଏବଂ ଆଗକୁ ମଧ୍ୟ ଏହାକୁ ତ୍ୱରାନ୍ୱିତ କରାଇବାକୁ ଚେଷ୍ଟିତ ରହିବ । ଆମେ ସମସ୍ତେ ଏକ ହୋଇ ଲଢ଼ିବା ଆମ ଦେଶ ଆମ ରାଜ୍ୟ ଓ ଆମ ଜିଲ୍ଲା କୁ ବିକାଶ ପଥରେ ଅଗ୍ରସର କରାଇବା ବୋଲି ସେ କହିଥିଲେ।

“ବିକାଶର ଧାରା, ଓଡ଼ିଶା ସାରା” ଅଭିମୁଖ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଉପ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ତଥା ସଫଳ ଯୋଜନା ଯଥା— ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ସାମାଜିକ ଭତ୍ତା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା (ବର୍ଦ୍ଧିତ ଭତ୍ତା), ଜାତୀୟ ପରିବାର ସହାୟତା ଯୋଜନା, ବିବାହ ପ୍ରୋତ୍ସାହନ ରାଶି, ଇ-ରିକ୍ସା ପ୍ରଦାନ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ବିକଶିତ ଗାଁ-ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ, ଅନ୍ତଦ୍ଵୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ଏବଂ ପି ଏମ ଶ୍ରୀ ସ୍କୁଲ ଆଦି ସମ୍ପର୍କରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପ୍ରକୃତ ହିତାଧିକାରୀ ଯେପରି ଏହି ସବୁ ଯୋଜନାର ଅଧିକରୁ ଅଧିକ ଫାଇଦା ପାଇପାରିବେ, ସେଥିପାଇଁ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ନିଜର କଲମ ଚାଳନା କରିବାକୁ ସେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ଗଠନମୂଳକ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଧାରାକୁ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଉପସ୍ଥିତ ରହି ବିଧାୟକ ଜଗତସିଂହପୁର ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ କହିଥିଲେ ଯେ ରାଜ୍ୟ ସରକାର ବିଗତ ୨ ବର୍ଷରେ ୨୫୦୦ କୋଟି ଟଙ୍କା ରୁ ଅଧିକ ପ୍ରକଳ୍ପ ଜଗତସିଂହପୁର ଜିଲ୍ଲା ପାଇଁ ଦେଇସାରିଛନ୍ତି । ନୂତନ ସରକାର ଏହି ୨ ବର୍ଷ ରେ ୪୬,୦୦୦ ନିଯୁକ୍ତି ପ୍ରଦାନ କରି ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ପ୍ରତିଷ୍ଠା ଏକ ବଡ଼ ଉପଲବ୍ଧି। ଜିଲ୍ଲାରେ କ୍ରୀଡ଼ା,ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।

ଏହି ଅବସରରେ ସାଂସଦ, ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବର୍ଷ ଆଜି ସାରା ବିଶ୍ୱରେ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି । କୃଷକ, ମହିଳା, ଯୁବ ଗୋଷ୍ଠୀ ଙ୍କ ଉନ୍ନତି ରେ ରାଜ୍ୟ ଓ ଦେଶର ବିକାଶ ହେବ । ପି ଏମ କିସାନ ନିଧି ଯୋଜନାରେ ରାଜ୍ୟର ୩୫ ଲକ୍ଷ କୃଷକ ଏବଂ ସି ଏମ କିସାନ ନିଧି ଯୋଜନାରେ ରାଜ୍ୟ ର ୫୧ ଲକ୍ଷ କୃଷକ ଉପକୃତ ହୋଇଛନ୍ତି । ସମଗ୍ର ଦେଶରେ ନିଶ୍ଚିତ ଭାବରେ କୃଷି ଜାତ ଦ୍ରବ୍ୟର ଉତ୍ପାଦନ ବଢ଼ିଛି । ସୁଭଦ୍ରା ଯୋଜନା ରେ ମହିଳା ମାନଙ୍କ ବିକାଶ ହୋଇଛି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ରୋଜଗାର କ୍ଷମ ହୋଇଛନ୍ତି । ଯୁବପିଢ଼ିମାନେ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟୋଗୀ ହେବା ଓ ଶିଳ୍ପ ପ୍ରତିଷ୍ଠା ଫଳରେ ଯୁବପିଢୀ ମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ଉପସ୍ଥିତ ରହି ବିଧାୟକ, ତିର୍ତ୍ତୋଲ ଶ୍ରୀ ରମାକାନ୍ତ ଭୋଇ କହିଲେ ଯେ ୨ ବର୍ଷ ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ଅନେକ ଉନ୍ନତି ହୋଇଛି ଏବଂ ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜନସାଧାରଣ ଉପକୃତ ହୋଇଛନ୍ତି । ସରାକରଙ୍କ ବିକାଶମୂଳକ ଯୋଜନା ପଛ ଧାଡ଼ିର ପ୍ରତ୍ୟେକ ବର୍ଗ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ଏବଂ ଆମେ ଏଥି ପ୍ରତି ଚେଷ୍ଟିତ ହେବା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଯେ ବିଗତ ୨ ବର୍ଷରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଜିଲ୍ଲାର ଜନସାଧାରଣ ବହୁଳ ଭାବରେ ଉପକୃତ ହୋଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଜିଲ୍ଲା ପାଇଁ ଏହିପରି ବିକାଶର ରଥ କିପରି ଆଗେଇଚାଲିବ ସେଥିପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ରହିବା ଏବଂ ଆମେ ଆମ ଜିଲ୍ଲାକୁ ପ୍ରତ୍ୟେକ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ରଖିବା ।

ଏହି ଅବସରରେ ଅଧ୍ୟକ୍ଷା, ପୌର ପରିଷଦ ଜଗତସିଂହପୁର ଶ୍ରୀମତୀ ଅର୍ଚ୍ଚନା ସିଂହ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ର ଉଦଘାଟନୀ ଦିବସରେ ସରାକରଙ୍କ ଜନମଙ୍ଗଳକାରୀ ଯୋଜନାରେ ଜନସାଧାରଣମାନେ ଉପକୃତ ହେବାର ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଯୋଜନା ର ହିତାଧୀକାରୀ ମାନଙ୍କୁ ସ୍ମାର୍ଟ ଫୋନ, ସହାୟତା ରାଶି, କାର୍ଯ୍ୟାଦେଶ, motorized tricycle ପ୍ରଦାନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ର ସୁନେଲି ସ୍ୱର୍ଣ୍ଣପ୍ରଭା ବିଶ୍ୱାଳ,ଉଦ୍ୟାନ କୃଷି ବିଭାଗର ଆଲୋକ ପ୍ରଭା ସ୍ୱାଇଁ, ସାମାଜିକ ମଙ୍ଗଳ ବିଭାଗରୁ ଅନିଲ କୁମାର ଭୋଇ, ପ୍ରକାଶ ବାରିକ, ମନୋରଞ୍ଜନ ଚୁଲି ଓ ମନୋଜ କୁମାର ପାତ୍ର, ଶ୍ରମ ବିଭାଗର ସୁମିତ୍ରା ସାହୁ ଓ ନିରଞ୍ଜନ ମାହାଲି, ଜୀବିକା ମିଶନ ବିଭାଗର ମୌସୁମୀ ମଲ୍ଲିକ ଓ ଦୈବୀଶକ୍ତି ,  ଗ୍ରାମ୍ୟ ଉନ୍ନୟନ ବିଭାଗର କାମଦେବ ଖୁଣ୍ଟିଆ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ସରସ୍ୱତୀ ସାହୁ ଓ ମମତା ମହାରଣା, ସ୍ବାସ୍ଥ୍ୟ ବିଭାଗ ର ରମାକାନ୍ତ ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ଚନ୍ଦନ କିଶୋର ମାତି, ସାମାଜିକ ସୁରକ୍ଷା ବିଭାଗର ଗୋପୀନାଥ ବିଶ୍ୱାଳ ।

ଏହି ଅବସରରେ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ ସ୍ୱାଗତ ଭାଷଣ ପ୍ରଦାନ କରି ବିକାଶିତ ଜଗତସିଂହପୁର ଗଠନ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ , ଜନସାଧାରଣ, ବୁଦ୍ଧିଜିବୀ,  ଛପା, ବୈଦୁତିକ ତଥା ସୋସିଆଲ ମିଡ଼ିଆ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ହିତାଧୀକାରୀ, ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

ପରେ ପରେ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ମାନେ ସଂସ୍କୃତି ଭବନ ସମ୍ମୁଖରେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଦର୍ଶନୀରେ ବିଭିନ୍ନ ଵିଭାଗ ଏବଂ ଓରମାସ ପକ୍ଷରୁ ୨୦ ଟି ଷ୍ଟଲ ଖୋଲାଯାଇଛି। “ବିକାଶ ର ଧାରା ଓଡ଼ିଶା ସାରା” ସ୍ଲୋଗାନ ଆଧାର ରେ ଆୟୋଜିତ ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *