ବରଗଡ଼,୦୪/୧୨/୨୦୨୪ (ଓଡ଼ିଶା ସମାଚାର/ ସୁଜିତ ବେହେରା)- ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମାଁ ସମଲେଶ୍ୱରୀ ଙ୍କ ଠାରେ ଆଜ୍ଞା ମାଲ ନେଇଥିଲେ ଓ ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଂଚାର ମଣ୍ଡପ ଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଧନୁଯାତ୍ରାରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ସହିତ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖିବାପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ରହିଥାଏ । ତେବେ ଚଳିତ ୨୦୨୪ -୨୫ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ୨୦୨୫ ଜାନୁୟାରୀ ୩ ତାରିଖରୁ ଜାନୁୟାରୀ ୧୩ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବାବେଳେ ଆଜି ଡିସେମ୍ବର ୪ ତାରିଖ ବୁଧବାର ବରଗଡର ହାଟପଦା ଠାରେ ଏହାର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ବରଗଡ଼ର ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାର ଲଗ୍ନଧାର୍ୟ୍ୟ କରାଯାଇ ଥାଏ ଏବଂ ଯେପରି ଯାତ୍ରା ସୁରୁଖୁରୁରେ ସମାପନ ହେବ, ସେଥିପାଇଁ ଏହି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥାଏ । ପାରମ୍ପାରିକ ରିତୀନିତୀରେ ଆଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ରେ ପୂଜା ଅର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା । ଯେଉଁଥିରେ ସଂଚାର ବାଦ୍ୟ ସହ ସଂକିର୍ତନ ଦଳ ଓ ଯାତ୍ରା କମିଟିର କାର୍ୟ୍ୟକର୍ତ୍ତାଙ୍କ ସହ ଏହି ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ଯାଇଥିଲା । ଏହି ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା, ଧନୁଯାତ୍ରା କମିଟି ର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ପୌର ପରିଷଦ ଅଧ୍ୟକ୍ଷ କଳ୍ପନା ମାଝୀ ଏହି ଶୋଭାଯାତ୍ରାରେ ମିଶିଥିଲେ ଓ ହାଟପଦା ସଂଚାର ମଣ୍ଡପକୁ ପହଞ୍ଚିଥିଲେ । ହାଟପଦା ସଂଚାର ମଣ୍ଡପ ଠାରେ ପହଂଚିବା ପରେ ପଣ୍ଡିତଙ୍କ ଦ୍ୱାରା ପାରଂପାରିକ ବିଧି ଅନୁସାରେ ପୂଜାଅର୍ଚ୍ଚନା କରାଯାଇ ଶୁଭସ୍ତମ୍ଭ ଦିଆଯାଇଛି ।
ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଭୟ ଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଓ ରାଜ୍ୟ ବାହାରୁ ସାଂସ୍କୃତି ଟିମ ଆଣିବା ପାଇଁ ଯୋଜନା ରଖାଯାଇଥିବା ଜଣାପଡ଼ିଛି । ସେହିପରି କଳାକାର ମାନେ ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଚଳିତ ଥର ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ମଧ୍ୟ ବେଶ ଆଶାବାଦୀ ଅଛନ୍ତି ଯେପରି ଏଥର ଧନୁ ଯାତ୍ରାରେ ଅଭିନୟ ମାଧ୍ୟମରେ ସେ ଲୋକଙ୍କ ମନକୁ ଜିଣିପାରିବେ ।