କେନ୍ଦ୍ରାପଡ଼ା,୩୦/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ରାଜ୍ୟ ଆଇ.ଏନ.ଟି.ୟୁ.ସି.ସଭାପତି, ସର୍ବଭାରତୀୟ ଆଇ.ଏନ.ଟି.ୟୁ.ସି. ଉପସଭାପତି ତଥା ଜେନେଭାସ୍ଥିତ ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ସଂଗଠନର ଅଧ୍ୟକ୍ଷ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କୁ ଗରାପୁର ଡାକବଙ୍ଗଳା ଛକରେ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡାର ମିଳିତ ଟ୍ରେଡ ୟୁନିଅନ ପକ୍ଷରୁ ପ୍ରତିନିଧିମାନେ ଶ୍ରୀ ଖୁଂଟିଆଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏଥିସହିତ ଟ୍ରେଡୟୁନିଅନର ପ୍ରତିନିଧିମାନେ ଆଇ.ଏନ.ଟି.ୟୁ.ସି.ର ରାଜ୍ୟ ସଭାପତିଙ୍କୁ କେନ୍ଦ୍ରାପଡାର ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦୁରାବସ୍ଥା ସମ୍ପର୍କରେ
ଜଣାଇବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ସଭାପତି ଶ୍ରୀ ଖୁଂଟିଆ ଆସନ୍ତା ୩, ୪ ଓ ୫ତାରିଖରେ ରାଜ୍ୟ ସ୍ତରୀୟ ଶ୍ରମକୋର୍ଡ ପ୍ରଚଳନ ବିରୋଧୀ ସମାବେଶକୁ କେନ୍ଦ୍ରାପଡା ଜିଲାରୁ ବହୁ ସଂଖ୍ୟାରେ ପ୍ରତିନିଧି ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ଜିଲାର ସମସ୍ତ ପଂଚାୟତ ଗୁଡିକରେ ପିଅନ ନିଯୁକ୍ତି କ୍ଷେତ୍ରରେ ଯେଉଁଠି ପୂର୍ବରୁ ଥିବା ପିଅନ ସଠିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପୁର୍ନନିଯୁକ୍ତି ପ୍ରଦାନ କରିବାକୁ ସଭାପତି ଶ୍ରୀ ଖୁଂଟିଆ ମତବ୍ୟକ୍ତ କରିଥିଲେ ।
ନଚେତ ଯେଉଁ ପଂଚାୟତରେ ରାଜନୈତିକୀକରଣ ଘଟିବ ତାକୁ ଜିଲାର ମିଳିତ ଟ୍ରେଡୟୁନିଅନ ପକ୍ଷରୁ ଜିଲା ସ୍ତରରେ ଆନ୍ଦୋଳନ କରିବାକୁ ଶ୍ରୀ ଖୁଂଟିଆ ପରାମର୍ଶ ଦେବା ସହ ରାଜ୍ୟ ସ୍ତରରେ ଆବଶ୍ୟକ ସରକାରୀ ସହାୟତା ପାଇଁ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଆଇ.ଏନ.ଟି.ୟୁ.ସି. ଜିଲା ସଭାପତି ମୁକ୍ତାର ଖାଁ, ଅନ୍ୟତମ ନେତୃତ୍ୱ ଫକୀର ଚରଣ ଖଟୁଆ, ବସନ୍ତ କୁମାର ସେଠୀ, ଜୀତେନ୍ଦ୍ର ଚୌଧୁରୀ, ବିରଜା ମହାନ୍ତି, ଏଚଏମଏସର ତ୍ରିଲୋଚନ ଦାସ, ଏ.ଆଇ.ଟି.ୟୁ.ସି. ପକ୍ଷରୁ ଅଜୟ ସାମଲ, ସିଟୁ ପକ୍ଷରୁ ଜଗତଜୀବନ ଦାଶ, ଅଜିତ ପରିଡା, ମହିଳାନେତ୍ରୀ ସନ୍ଧ୍ୟାରାଣୀ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସୁଶିଲ କୁମାର ସାମଲ, ପବିତ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
