ଯାଜପୁର,୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଖାଦ୍ୟ ଯୋଗାଣ ବ୍ୟବସ୍ଥା ଓ ବନ୍ୟା ପରିସ୍ଥିତିରେ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ରିଲିଫ୍ ସାମଗ୍ରୀ ସମ୍ପର୍କରେ ସମୀକ୍ଷା କରିଥିଲେ।
ଯାଜପୁର ରୋଡ୍ ସ୍ଥିତ ହୋଟେଲ ବ୍ରାହ୍ମଣୀ ଠାରେ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ବିଭାଗର ଏସିଏସ୍ଓ ଏବଂ ମାର୍କେଟିଂ ଇନ୍ସପେକ୍ଟରମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଖାଦ୍ୟ ଯୋଗାଣ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ।
ବିଶେଷକରି ସମ୍ପ୍ରତି ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼ ଓ ବିସ୍କୁଟ, ବନ୍ୟା ପ୍ରଭାବିତଙ୍କ ପାଇଁ ଚାଉଳ ଯୋଗାଣ ଓ ବଣ୍ଟନ, ଏବଂ ହିତାଧିକାରୀଙ୍କ e-KYC ସ୍ଥିତି ଆଦି ବିଷୟରେ ମନ୍ତ୍ରୀ ବିସ୍ତୃତ ତଥ୍ୟ ନେଇଥିଲେ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୭.୯୩ ପ୍ରତିଶତ e-KYC ସମ୍ପୂର୍ଣ୍ଣ ହୋଇଥିବା ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲ୍ଲାରେ ୬୧,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକୃତ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ।
ସମୀକ୍ଷା ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ଆବଶ୍ୟକ ଖାଦ୍ୟଶସ୍ୟ ଓ ରିଲିଫ୍ ସାମଗ୍ରୀ ଯେପରି ସୁବ୍ୟବସ୍ଥିତ ଭାବେ ଏବଂ ସମୟୋଚିତ ଭାବେ ପହଞ୍ଚିପାରିବ, ସେଥିପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ପରବର୍ତ୍ତୀ ସମୟରେ ମନ୍ତ୍ରୀ ଶ୍ରୀ ପାତ୍ର କୋରେଇ ବ୍ଲକ୍ର ପାଣିକୋଇଲି ପଂଚାୟତରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଚାଉଳ ବଣ୍ଟନ କରିଥିଲେ। ଏହି ଅବସରରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।କୋରେଇ ବ୍ଲକ ବିଡ଼ିଓ ଅବନୀକାନ୍ତ ସାହୁ ଉପସ୍ଥିତ ଥିଲେ।ଯାଜପୁର ରୋଡ୍ / ବ୍ୟାସନଗର ଭଳି ଶିଳ୍ପାଞ୍ଚଳ ଓ ପ୍ରବାସୀ ଶ୍ରମିକବହୁଳ ଅଞ୍ଛଳରେ ଶୀଘ୍ର ଗୋଟିଏ ‘ରାଇସ୍ ଏଟିଏମ୍'(ଗ୍ରେନ ବ୍ୟାଙ୍କ )ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
