ଯାଜପୁର,୦୫/୦୯/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ବଡ଼ଚଣାରୁ ବାଲିଚନ୍ଦ୍ରପୁର ସଂଯୋଗ କରୁଥିବା ୧୩ କିଲୋମିଟର ଦୀର୍ଘ R&B ରାସ୍ତାରେ ସାଧାରଣ ଜନସାଧାରଣ, ସ୍କୁଲ-କଲେଜ ଛାତ୍ରଛାତ୍ରୀ ଏବଂ ପାଦଚଲା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରୀ ଯାନ ଓ ଟ୍ରକ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାରେ ସମସ୍ତ ପ୍ରକାର ଭାରୀ ଯାନବାହନ/ଟ୍ରକ୍ (ମାଲ୍ ବୋଝେଇ ଓ ଖାଲି) ଚଳାଚଳ ନିଷେଧ କରାଗଲା।
ମୋଟର ଯାନ ଆଇନ (MV Act), ୧୯୮୮ ର ଧାରା ୧୧୫, ୧୧୬, ୧୧୭ ଏବଂ OMV ରୁଲ୍ସ, ୧୯୯୩ ର ନିୟମ ୬୩ ଓ ୯୩ ଅନୁଯାୟୀ ଯାଜପୁର ଜିଲ୍ଲାପାଳ ତଥା RTA ଅଧ୍ୟକ୍ଷ ଅମ୍ବର କୁମାର କର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି କଟକଣା ୦୧.୦୯.୨୦୨୬ ରୁ ୩୦.୦୯.୨୦୨୬ (ଗୋଟିଏ ମାସ) ପର୍ଯ୍ୟନ୍ତ ବଳବତ୍ତର ରହିବ।
ଜାତୀୟ ରାଜପଥ ଦେଇ ଯିବା ପରିବର୍ତ୍ତେ ଭାରୀ ଯାନଗୁଡ଼ିକ ଦ୍ରୁତ ଗତିରେ ଏହି ରାସ୍ତାରେ ଯାତାୟାତ କରିବା ଦ୍ୱାରା ନିୟମିତ ଦୁର୍ଘଟଣା ଘଟୁଥିଲା। ଏହା ଦ୍ୱାରା ବଡ଼ଚଣା ବ୍ଲକ୍ କାର୍ଯ୍ୟାଳୟ, CHC, ତହସିଲ୍ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ହଜାର ହଜାର ସାଧାରଣ ଲୋକ ଏବଂ ବିଦ୍ୟାଳୟ ଗମନାଗମନ କରୁଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
