ଯାଜପୁର,୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF), ଯାଜପୁର ସହଯୋଗରେ ଖଣି ପ୍ରଭାବିତ ସୁକିନ୍ଦା ଓ ଦାନଗଦି ବ୍ଲକରେ ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଲୋକାର୍ପଣ ହୋଇଛି।

ଏହି ଅବସରରେ ସମବାୟ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।
ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡିଏମଏଫ୍ ସହଯୋଗରେ ନୂତନ ମାଗଣା ଡାଏଲିସିସ୍ ସେବା କେନ୍ଦ୍ରର ଶୁଭ ଉଦଘାଟନ କରାଯାଇଥିଲା। ସେହିପରି ‘ନିର୍ମଳ ବିନ୍ଦୁ ଆଇଓଟି’ ଆଧାରିତ ବିଶୁଦ୍ଧ ପାନୀୟ ଜଳ ବିଶୋଧନ ପ୍ରକଳ୍ପ ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ଗ୍ରାମ ପଞ୍ଚାୟତର ଭରଡାପଶି, ଦେଉଳକଣ ଗ୍ରାମ ପଞ୍ଚାୟତର ପାଟବାଲି ଏବଂ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କଳରଙ୍ଗଟିଆ ଏବଂ କାଳିଆପାଣି ପଞ୍ଚାୟତରେ ଲୋକାର୍ପିତ ହୋଇଥିଲା।

କାଳିଆପାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମା’ ଗୃହ ଓ ଶିଶୁ ସମୃଦ୍ଧି କେନ୍ଦ୍ର (ପୁଷ୍ଟି ପୁନର୍ବାସ କେନ୍ଦ୍ର)ର ମଧ୍ୟ ଶୁଭ ଉଦଘାଟନ କରାଯାଇଥିଲା। ଏହି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ସେବା ସହ ପୁଷ୍ଟିହୀନ ଶିଶୁମାନଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଚିକିତ୍ସା ସେବା ଯୋଗାଇ ଦିଆଯିବ।
କାଳିଆପାଣି ସ୍ଥିତ ଚଣ୍ଡୀମାତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଖଣି ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ସହ ଲୋକଙ୍କ ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଜୀବନମାନର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ। ଡିଏମଏଫ୍ ମାଧ୍ୟମରେ ଏଭଳି ଜନକଲ୍ୟାଣମୂଳକ ପ୍ରକଳ୍ପ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

ସମ୍ମାନିତ ଅତିଥି ମାନ୍ୟବର ଲୋକସଭା ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ ଯେ, ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମଏଫର ସୁବିନିଯୋଗ ଅତ୍ୟନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ମାତୃ-ଶିଶୁ କଲ୍ୟାଣ ଭଳି କ୍ଷେତ୍ରରେ ଏଭଳି ପ୍ରକଳ୍ପ ଲୋକଙ୍କ ଜୀବନମାନରେ ସକାରାତ୍ମକ ପରିବର୍ତ୍ତନ ଆଣିବ।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ ଯେ, ଖଣି ପ୍ରଭାବିତ ଅଞ୍ଚଳର ଆବଶ୍ୟକତାକୁ ପ୍ରାଥମିକତା ଦେଇ ଡିଏମଏଫ୍ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ଏହି ପ୍ରକଳ୍ପଗୁଡ଼ିକର ସୁଫଳ ଯେପରି ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ ଜାରି ରହିଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗ ନଗର) ଶ୍ରୀ ସପନ କୁମାର ନନ୍ଦ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ସ୍ଥାନୀୟ ବ୍ଲକର ବିଡିଓ, ବିଭାଗୀୟ ଅଧିକାରୀ, ଡିଏମଏଫ୍ ଅଧିକାରୀଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ଖଣି ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ମାତୃ-ଶିଶୁ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ DMFର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
