ଯାଜପୁର, ୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ଭୂମିକା ଅଭିନୟ (Role Play) ପ୍ରତିଯୋଗିତା -୨୦୨୬ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାବାଳପୁର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ଅଧକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ଡ଼. ଆଶୁତୋଷ ବଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିଚାରକ ରୂପେ ରୋଟାରି କ୍ଲବର ପୂର୍ବତ୍ତନ ସଭାପତି ସୁବାଷ କୁମାର ମହାପାତ୍ର ଓ ଆହ୍ୱାନ ନାଟ୍ୟ ପରିଷଦର ସମ୍ପାଦକ ବିଶ୍ୱଜିତ ସାହୁ ଯୋଗଦାନ କରି ପିଲାମାନଙ୍କରପିଲାମାନଙ୍କର ଅଭିନୟକୁ ମୂଲ୍ୟାୟନ କରିଥିଲେ । 
ଉକ୍ତ ପ୍ରତିଯୋଗିତା ରେ ବ୍ରହ୍ମବରଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ, ଯାଜପୁର ଜ଼ିଲ୍ଲା ସ୍କୁଲ ଦ୍ୱତୀୟ ସ୍ଥାନ ଓ ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ କୁମାରସେନ ସେନାପତିଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।
ଯାଜପୁର ବ୍ଲକ ବିଜ୍ଞାନ ସଂଯୋଜକ ଶିବବ୍ରତ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମିଶ୍ରଙ୍କ ଧନ୍ୟବାଦ ପ୍ରଦାନ କରିଥିଲେ । ମୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀମାନେ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ମନୋନୀତ ହେଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
