ବିଧାୟକ ଙ୍କ ସମେତ ବିଜେପି କାଉନସିଲର ଅନୁପସ୍ଥିତ
ଭୁବନ ୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ପ୍ରଥମେ ୱାର୍ଡ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ,ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ଟୋଲଙ୍କବେରେଣି ,ବଉଳ ଛକ ,ସିନେମା ହଲ୍ ଛକ ଓ ଗୋଡ଼ି ପୋଖରୀ ଛକ ଦେଇ ସହର ପରିକ୍ରମା କରିଥାଏ ।
୨୦ ଟି କ୍ଳବର ପ୍ରାୟ ୨ ହଜାର ଯୁବକ ( ଜେନ ଜି) ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ଏହି ରାସ୍ତାରେ ଗାଡ଼ିଆ ସୃଷ୍ଟି ହୋଇଛି ।ତେଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବାକୁ ଦୃଢ଼ ଦାବି କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶୈବଭକ୍ତ ଓ ବୋଲବମ ଭକ୍ତ ମାନେ ମନ୍ଦିରକୁ ଯାଇ ପାରିଲେ ନାହିଁ । ଦକ୍ଷୀଣ କାଳୀ ପୀଠ ପୂର୍ବରୁ ଥିବା ଘୋଷରା ରେ ପ୍ରାୟ ୨/୩ ଫୁଟ ପାଣି ପ୍ରବାହିତ ହେଉଥିଲା । ଏହି ଘୋଷରା ବଦଳରେ ବକ୍ସ କଲଭର୍ଟ କରି ଜଗନ୍ନାଥ ମନ୍ଦିର ଠାରୁ ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ସହିତ ଚିନରା ପୋଖରୀ ଠାରୁ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ପାଇଁ ବୈଠକରେ ଦାବି ହୋଇଥିଲା । ଗୁଜୁରି ହାଟ ରେ ଆମିଷ ବିକ୍ରି ଯୋଗୁ ପ୍ରବଳ ଗହଳି ହେବା ସହିତ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ ମାନେ ଜଗନ୍ନାଥ ମନ୍ଦିର ଓ ବୁଦ୍ଧେଶ୍ୱର ମନ୍ଦିର କୁ ଯିବାରେ ସମସ୍ୟା ହେଉଛି ।
ଏଥିପାଇଁ ଏକ ନୂତନ ଆମିଷ ବଜାର କରାଯିବାକୁ ଜାଗା ସ୍ଥିର କରାଯାଇଥିଲା । ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ କାଉନସିଲର ପପୁ କୁମାର ସାହୁ,କଳ୍ପନା ବେହେରା, ଝୁନି ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏନ୍ ଏ ସି କର୍ମଚାରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।। ଏକ ତୃତୀୟାଂଶ ସଦସ୍ୟଙ୍କ ଉପସ୍ଥିତିରେ କୋରମ ହୋଇ ଉପରୋକ୍ତ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ବିଧାୟକ ଙ୍କ ସମେତ ସମସ୍ତ ବିଜେପି କାଉନସିଲର ବୈଠକରେ ଅନୁପସ୍ଥିତ ରହିବା ଘଟଣା ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି । ଏହି ଅସହଯୋଗ ପାଇଁ ସରକାରୀ ଦଳକୁ କ୍ଷତି ସହିବାକୁ ପଡିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲ ମତ ଦେଉଛନ୍ତି ।
