ଭୁବନେଶ୍ୱରରେ ତାପଙ୍ଗ ଗଡ଼ ଦଳବେହେରାଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ପାଇକ ମହାସଂଘର ଦାବି

ଭୁବନେଶ୍ୱର,୦୨/୦୯/୨୦୨୬ (ଓଡ଼ିଶା ସମାଚାର)- ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଅଗ୍ନିସ୍ଫୁଲିଙ୍ଗ, ରଣରଙ୍କା, ପାଇକଙ୍କ ମହାନାୟକ ମହାଦାନୀ ତାପଙ୍ଗ ଗଡ଼ର ଦଳବେହେରା ସାମନ୍ତ ମାଧବଚନ୍ଦ୍ର ରାଉତରାୟଙ୍କ ୨୫୬ତମ ଜୟନ୍ତୀ ଉତ୍ସବ ଅବସରରେ ଭୁବନେଶ୍ୱରରେ ତାଙ୍କର ପ୍ରତିମୂର୍ତି ସ୍ଥାପନ ସହିତ ତାଙ୍କ ଜୟନ୍ତୀକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ରାଜ୍ୟସ୍ତରରେ ପାଳନ କରିବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବୁଧବାର ନିଜଗଡ଼ ତାପଙ୍ଗ ସହୀଦ ସ୍ମୃତିପୀଠ ଠାରେ ଦଳବେହେରା ସ୍ମୃତି ପରିଷଦ ଓ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଦଳବେହେରାଙ୍କ ୨୫୬ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।
ଶିକ୍ଷାବିତ୍ ରମେଶ ଚନ୍ଦ୍ର ପାତାଳସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ତାଙ୍କ ଦାୟାଦ ଅଜିତ କୁମାର ରାଉତରାୟ ଦଳବେହେରାଙ୍କ ପ୍ରତିମୂର୍ତିକୁ ବୀରବେଶରେ ସୁସଜ୍ଜିତ କରାଯାଇ ଦଳବେହେରାଙ୍କ କୂଳଦେବୀ ମା’ ହସ୍ତେଶ୍ୱରୀଙ୍କ ନିକଟରେ ପରମ୍ପରା ଅନୁଯାୟୀ ଅର୍ଘ୍ୟ ପ୍ରଦାନ କରାଯାଇ ସାମରିକ ପରମ୍ପରା ପ୍ରଦାନ କରାଯାଇଥିଲା । ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଂଯୋଜକ ଗୁରୁ କେଦାରନାଥ ଦାସ ଦଳବେହେରାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସାମରିକ ଅଭିବାଦନ ପ୍ରଦାନ କରି କହିଥିଲେ ଯେ, ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ପ୍ରଥମ ଅଗ୍ନିସ୍ଫୁଲିଙ୍ଗ ଏହି ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିଲା ।

ଯାହା ପାଇକ ବିଦ୍ରୋହ ନାମରେ ନାମିତ ଏବଂ ଏହା ଏପର୍ଯ୍ୟନ୍ତ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇପାରିଲା ନାହିଁ । ଦଳବେହେରାଙ୍କ ଅବଦାନର ପଟ୍ଟାନ୍ତର ନାହିଁ । ସେ ଜାତି ନିକଟରେ ଚିର ନମସ୍ୟ । ଏହି ଉତ୍ସବରେ ବିଭୂଦ ସଂଗ୍ରାମସିଂହ, ରାମଚଣ୍ଡୀ ଦଳବେହେରା, ସୌମ୍ୟରଞ୍ଜନ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାରଥି, ଗୋବିନ୍ଦ ଚନ୍ଦ୍ର ନରେନ୍ଦ୍ରସିଂହ, ବିପିନ ବିହାରୀ ଶ୍ରୀଚନ୍ଦନ, ଯୁବ ଦଳେଇ ବୈରୀ ଗଞ୍ଜନ, ମନୋଜ କୁମାର ପ୍ରମୁଖ ଯୋଗାଦନ କରିଥିଲେ । ଅବଶେଷରେ ୧୮୨୭ ତାପଙ୍ଗ ଫରିଙ୍ଗି ଯୁଦ୍ଧର ୨୦୦ ବର୍ଷ ସଂଗ୍ରାମୀ ଦିବସ ଆସନ୍ତା ବର୍ଷ ମହାସମାରୋହରେ ପାଳନ ହେବାକୁ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *