ପାରଳାଖେମୁଣ୍ଡି/ ଭୁବନେଶ୍ୱର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ବିଧାନସଭାର ଗୃହ କମିଟି ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲା ଗସ୍ତ କରି ଜିଲାର ବିକାଶ, ପାନୀୟ ଜଳ,
ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା କରିଛନ୍ତି । ଗସ୍ତରେ କମିଟିର ସଦସ୍ୟ ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ବିଧାୟକ ପାରଳାଖେମୁଣ୍ଡି ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ଗଜପତି ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ଓ ମୁନିଦ୍ର ହୋନନାଗା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲାପରିଷଦ ପୃଥ୍ୱୀରାଜ ମଣ୍ଡଳ, ଉପଜିଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଂଚି ବାଗ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
କମିଟି ପ୍ରଥମେ ମୋହନା ବ୍ଲକ୍ ଅନ୍ତର୍ଗତ ମାଙ୍କଡ଼ଡିଆ ଜଳପ୍ରପାତ,ଜୀରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର, ଖସଡ଼ା ଜଳପ୍ରପାତ ଏବଂ ପବିତ୍ର ମହେନ୍ଦ୍ରଗିରି ପାହାଡ଼ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଥିସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲାପାଳ ଏବଂ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀଙ୍କ ସହ ଗୃହ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ବିଚାରାଧୀନ ଆବେଦନ ଏବଂ ବିଧାନସଭାରେ ଉଠାଯାଇଥିବା ବିଭିନ୍ନ ସବମିଶନର କାର୍ଯ୍ୟାନ୍ୱୟନ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ପାରଳାଖେମୁଣ୍ଡି ସହରରେ ବାଇପାସ୍ ରାସ୍ତା ନିର୍ମାଣ, ଜିଲାର ସବର, କନ୍ଧ, ଶୁଦ୍ଧ ସବର ଆଦି ଜନଜାତିର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ, ମୋହନା ତହସିଲର ଯୋଗ୍ୟ ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା । ସେହିପରି ଗୁମ୍ମା ବ୍ଲକ୍ର ଆଦିବାସୀ ଅଂଚଳକୁ ରାସ୍ତା ସଂଯୋଗ, ପାନୀୟ ଜଳ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଣ, ପବିତ୍ର ମହେନ୍ଦ୍ରଗିରି ପାହାଡ଼ର ପର୍ଯ୍ୟଟନ ବିକାଶ ଏବଂ ଗଜପତି ଜିଲାରୁ ଭୁବନେଶ୍ୱର ଓ ପୁରୀକୁ ତୀର୍ଥଯାତ୍ରୀଙ୍କ ଯାତାୟାତ ପାଇଁ ଉନ୍ନତ ସଡ଼କ ସଂଯୋଗ ଭଳି ବିଷୟ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହାସହ ଜିଲାର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ନେଇ କମିଟି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଆଲୋଚିତ ବିଷୟଗୁଡ଼ିକର ତୁରନ୍ତ ସମାଧାନ ଓ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୃହ କମିଟି ଗୁରୁତ୍ୱାରୋପ କରିଥିଲେ ।
