୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ନିଶ୍ଚିନ୍ତକୋଇଲି, ୧୬/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା  ନିଶ୍ଚିନ୍ତକୋଇଲି  ବ୍ଲକ ବାବୁଜଙ୍ଗ ଗ୍ରାମ ପଞ୍ଚାୟତସ୍ଥିତ ସୋସିଆଲ ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଓ ଉତ୍ସବମୁଖର ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ପବିତ୍ର ଅବସରରେ ବାବୁଜଙ୍ଗସ୍ଥିତ ସୋସିଆଲ ୱେଲଫେୟାର ଫାଉଣ୍ଡେସନ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ ଓ ସମୂହ ପ୍ରାର୍ଥନା ଆୟୋଜିତ ହୋଇଥିଲା।

ଫାଉଣ୍ଡେସନର ଉପସଭାପତି ଆଲାମ ଅଲ୍ଲୀ ଖାଁ, ସମ୍ପାଦକ ଇଜାଜ ଖାନ, ହିସାବରକ୍ଷକ ଆବୁତାହେର ଖାନ, ଉପଦେଷ୍ଟା ଏକବାଲ୍ ଖାଁ, ସାବିର ଅଲ୍ଲୀ ଖାଁ ଓ ଅବଦୁଲ ବାରି ଖାଁ, ବାବୁଜଙ୍ଗ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିର୍ ଅଲ୍ଲୀ ହୋସେନ  ଙ୍କ ସମେତ ସୂଚନା ଅଧିକାର କର୍ମୀ ରଶ୍ମୀ ରଞ୍ଜନ ବେଉରା ଉପସ୍ଥିତ ଥିଲେ।

ପତାକା ଉତ୍ତୋଳନ ପରେ ବାବୁଜଙ୍ଗ ଅଞ୍ଚଳର ୫୦ ରୁ ଊର୍ଦ୍ଧ୍ବ ଅସହାୟ, ନିରାଶ୍ରୟ ଓ ଆବଶ୍ୟକତା  ବୋଧ କରୁଥିବା ପରିବାରମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ସ୍ୱାଧୀନତା ଦିବସର ଖୁସିକୁ ସମାଜର ଆବଶ୍ୟକତା ଥିବା ପରିବାରମାନଙ୍କ ସହ ବାଣ୍ଟିବାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଫାଉଣ୍ଡେସନର ସମ୍ପାଦକ ଇଜାଜ ଖାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଏହି ମାନବିକ ସେବା କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ମିର୍ଜା ସଲିମ ବେଗ,ସୋହେଲ ଖାନ, ନାସିର ଖାନ, ସରଜୁ ବାରିକ,ମୋଜିବୁର ରହେମାନ୍,ସୋହେବ ଖାନ, ସ୍ବେଛାସେବୀ ପ୍ୟାରେଶ ରଞ୍ଜନ ସାମଲ, ପ୍ରଦୀପ ସେଠୀ, ସ୍ମୃତି ରଞ୍ଜନ ମଲ୍ଲ  ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ। ସମସ୍ତଙ୍କ ସହଯୋଗ ଓ ସେବା ଭାବନା ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।

ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ସେବା, ସହଯୋଗ ଓ ମାନବିକତାର ବାର୍ତ୍ତା ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ହେଉଛି ଫାଉଣ୍ଡେସନର ମୁଖ୍ୟ ସଙ୍କଳ୍ପ। ଆଗାମୀ ଦିନରେ ମଧ୍ୟ ସମାଜର ଅସହାୟ, ନିରାଶ୍ରୟ ଓ ଆବଶ୍ୟକତାବୋଧ କରୁଥିବା ଲୋକଙ୍କ ପାଇଁ ଫାଉଣ୍ଡେସନ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

ଏହି ମହତ୍ତ୍ୱପୂର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ବାବୁଜଙ୍ଗ ପଞ୍ଚାୟତର ସମସ୍ତ ସଦସ୍ୟ, କାର୍ଯ୍ୟକର୍ତ୍ତା, ଯୁବକବନ୍ଧୁ, ସ୍ୱେଚ୍ଛାସେବୀ ଓ ସମସ୍ତ ସହୃଦୟ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେସନର ସଭାପତି ସମସେର ଅଲ୍ଲୀ ଖାନ ଙ୍କ ପକ୍ଷରୁ ହୃଦୟରୁ କୃତଜ୍ଞତା, ଧନ୍ୟବାଦ ଓ ସାଧୁବାଦ ଜଣାଯାଇଛି।

Leave a Reply

Your email address will not be published. Required fields are marked *