ଭୁବନେଶ୍ୱର ୧୯/୧୧/୨୦୨୬(ଓଡ଼ିଶା ସମାଚାର) – ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ର ମୁକାବିଲା ଏବଂ ଏହାର ପ୍ରଭାବକୁ ହ୍ରାସ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି କ୍ରମରେ ୪ଟି ଜିଲ୍ଲାରେ ବାତ୍ୟା ପରିଚାଳନା ପାଇଁ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ନିଷ୍ପତ୍ତି ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଦିଆଯାଇଥିବା ବେଳେ ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ସମୀର ପ୍ରଧାନ ଏବଂ ଗଜପତି ଜିଲ୍ଲାର ଦାୟିତ୍ୱ ମାନସୀ ନିମ୍ଭାଳଙ୍କୁ ଅର୍ପଣ କରାଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ।
ଏହି ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ଜିଲାଗୁଡ଼ିକରେ ପହଞ୍ଚି ଜିଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବେ। ବିଶେଷ କରି ତଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସେମାନେ ଗୁରୁତ୍ୱ ଦେବେ। ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ମୃତାହତ ନୀତିକୁ ଆପଣାଇ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି, ସମ୍ଭାବ୍ୟ ବାତ୍ୟା ଅକ୍ୱାନ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀକୁ ରେଡ ୱାର୍ନିଂ ଦିଆଯାଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲା ପାଇଁ ୧୯ରେ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୯ରେ ଅବଶିଷ୍ଟ ସମସ୍ତ ଜିଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱରକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୦ ପାଇଁ ଆଉ ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
