ସଂକଟରେ “ପଲ୍ଲୀକବି”ଉପାଧି : ଜନ୍ମମାଟି କୁସୁପୁରରେ ତୀବ୍ର ପ୍ରତିବାଦ

ମାହାଙ୍ଗା,୧୩/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ସାହିତ୍ୟରେ ହୀନମନ୍ୟତା ଓ ଚଞ୍ଚକତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସରଳ ତରଳ ସାବଲୀଳ ଭାବରେ ପଲ୍ଲୀ ଜୀବନର ନିଚ୍ଛକ ଚିତ୍ରକୁ କବିତାରେ ରୂପଦେଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିବା ଯଶସ୍ବୀ ସାରସ୍ୱତ ସାଧକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଉପାଧି ଆଜି ସଂକଟରେ । କୃଷ୍ଣ ପ୍ରସାଦ ବେହେରାଙ୍କୁ ପଲ୍ଲୀକବି ଭାବେ ଚିତ୍ରିତ କରି ଏକ ପୁସ୍ତକ ରଚନା ହୋଇଛି । ଯେଉଁ ପୁସ୍ତକର ଲେଖକ ଡକ୍ଟର ମନ୍ମଥ କୁମାର ପ୍ରଧାନ ଏବଂ ଏହି ପୁସ୍ତକର ପ୍ରକାଶନ ଦାୟୀତ୍ୱ ଓଡ଼ିଆ ସାହିତ୍ୟ ଏକାଡେମୀ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହୋଇଛି ।

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ସ୍ଥାନରେ କୃଷ୍ଣ ପ୍ରସାଦ ବେହେରା କିଭଳି ପଲ୍ଲୀକବିର ମାନ୍ୟତା ପାଇଲେ ତାକୁ ନେଇ ବିତର୍କ ସୃଷ୍ଟି ହୋଇଛି ।

  ଡକ୍ଟର ମନ୍ମଥ ପ୍ରଧାନଙ୍କ ଦ୍ୱାରା ଲିଖିତ ଏହି  ପୁସ୍ତକ ଲୋକଲୋଚନକୁ ଆସିବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ଏଭଳି ହୀନ ପ୍ରୟାସ ପ୍ରଥିତଯଶା ସାରସ୍ୱତ ସାଧକ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପ୍ରତି ଘୋର ଅପମାନ ବୋଲି ବହୁ ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ ସାହିତ୍ୟ ଏକାଡେମୀ ଏବଂ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଷଢଯନ୍ତ୍ର ଓ ଚଞ୍ଚକତା ଯୋଗୁଁ ଲକ୍ଷଲକ୍ଷ୍ ନନ୍ଦକିଶୋର ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହେବା ଚର୍ଚ୍ଚା ହେଉଛି  ।  କୁସୁପୁର ସ୍ଥିତ ପଲ୍ଲୀକବି ଭବନରେ ଏହାକୁ ନେଇ ଏକ ପ୍ରତିବାଦ ସଭାରେ ବହୁ ସାହିତ୍ୟିକ, କବି, ଅଧ୍ୟାପକ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଅଂଚଳର ସଚେତନ ନାଗରିକ ମାନେ ଯୋଗଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ପ୍ରତିବାଦ ସଭାରେ ସାହିତ୍ୟିକ ପ୍ରସନ୍ନ ମିଶ୍ର (ମୌସୁମୀ), ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କବି ଭକ୍ତ ଚରଣ ସାହୁ, ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ସାହିତ୍ୟିକ ଡକ୍ଟର ନିଖିଳେଶ ପଦ ମହାନ୍ତି, ମହିମା ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ, ଡକ୍ଟର ଜନାର୍ଦନ ରାଉତ, ସମାଜସେବୀ ହିମାଂଶୁ ଶେଖର ଦାଶ, ସାମ୍ବାଦିକ ବିଳାସ ଚନ୍ଦ୍ର ବାରିକ,କୁସୁପୁର ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ରାଉତରାୟ,ସାରସ୍ୱତ ସଂଗଠକ ପ୍ରଶାନ୍ତ କୁମାର ପଟ୍ଟନାୟକ,କବି ପ୍ରଫୁଲ୍ଲ କୁମାର ସାହୁ, ସଂଜିତ କୁମାର ଦାସ,କବି ପ୍ରଫୁଲ୍ଲ କୁମାର ସିଂ,ସାମ୍ବାଦିକ ଏକାଦଶୀ ସେଠୀ, ରଣଜିତ ସାହୁ,ପ୍ରସନ୍ନ କୁମାର ବେହେରା,ସାମ୍ବାଦିକ ହରିହର ସାହୁ,ସାମ୍ବାଦିକ ବିଜୟ କୁଅଁର,ସାମ୍ବାଦିକ ଦାମୋଦର ପରିଡା,ସାମ୍ବାଦିକ ଅଶୋକ ଦାଶ,ସାମ୍ବାଦିକ ଅର୍ଜ୍ଜୁନି ସାହୁ,ପ୍ରମୁଖ ଯୋଗଦେଇଥିଲେ ।

ପ୍ରତିବାଦ ସଭାରେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟ ଏକାଡେମୀ ଏବଂ ରାଜ୍ୟ ସରକାର ଏହି ତୃଟିର ତୁରନ୍ତ ସଂଶୋଧନ ଏବଂ ସ୍ପଷ୍ଟୀକରଣ ଦେବାକୁ ବୁଦ୍ଧିଜୀବୀ ମାନେ ଆହ୍ୱାନ ଦେଇଥିଲେ । ଏହା ବିବାଦୀୟ ଘଟଣାକୁ ନେଇ ଖୁବ ଶୀଘ୍ର ଥାନାରେ ଏତଲା ଦେବା ସହିତ, ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବାକୁ ପଲ୍ଲୀକବି ନନ୍ଦକିଶୋର ବଳ ସ୍ମୁତି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *