ଜଗତସିଂହପୁର, ୦୯/୦୧/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ (ଅବସରପ୍ରାପ୍ତ ଭା ପ୍ର ସେ) ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସିଥିଲେ। ଆଗାମୀ ପଞ୍ଚାୟତ ତଥା ପୌର ପାଳିକା ନିର୍ବାଚନ କୁ ସ୍ୱଚ୍ଛ ଓ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଶ୍ରୀ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଏକ ସମୀକ୍ଷାତ୍ମକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଙ୍କ ଉପସ୍ଥିତି ରେ ଶ୍ରୀ ପାଢ଼ୀ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହ ପ୍ରିଜାଇଡିଂ, ପୋଲିଂ ଅଧିକାରୀ ଙ୍କ ଦାୟିତ୍ୱ,ବ୍ୟାଲଟ ବାକ୍ସ ଖୋଲିବା, ଲକ୍ କରିବା, ବ୍ୟାଲଟ ପେପର ଫୋଲ୍ଡିଙ୍ଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଇଲେକ୍ଟରାଲ ରୋଲ୍ ସଂଶୋଧନ, ନିର୍ବାଚନ ପ୍ରକ୍ରିୟା ର ବିଭିନ୍ନ ଫର୍ମ ଓ ଏହାର ବ୍ୟବହାର ସଂପର୍କରେ ବିଷଦ ଭାବେ ଉପସ୍ଥାପନ କରିଥିଲେ। ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ ଥିବା ବୁଥ ଗୁଡ଼ିକୁ ନିଜେ ଯାଇ ପରିଦର୍ଶନ କରି ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବିଡ଼ିଓ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ଡି ପିଓ ଙ୍କ ଠାରୁ ଜିଲ୍ଲାର ସ୍ଥିତି ସମ୍ୱନ୍ଧ ରେ ବୁଝିଥିଲେ। ସମସ୍ତ ଙ୍କ ସହଯୋଗ ତଥା ନିର୍ବାଚନୀ ବ୍ୟବସ୍ଥା ର ବିଧିବଦ୍ଧ ଜ୍ଞାନ ରହିଲେ ସବୁ ସମ୍ଭବ ବୋଲି ସେ କହିଥିଲେ। ସ୍ୱଚ୍ଛତା ର ସହ କୌଣସି ଚାପର ବଶବର୍ତ୍ତୀ ନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଉପଦେଶ ଦେଇଥିଲେ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ନିଜର ଅଭିଜ୍ଞତା ସହ ନିର୍ବାଚନୀ ପ୍ରକ୍ରିୟାକୁ ସୂଚାରୁ ରୂପେ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କହିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରେ କହିଥିଲେ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷ ର ପରିଚୟ। ପରେ ଡି ପି ଓ ଶ୍ରୀ ସନ୍ତୋଷ କୁମାର ଶତପଥୀ ପିପିଟି ମାଧ୍ୟମ ରେ ଜିଲ୍ଲା ର ସମସ୍ତ ପଞ୍ଚାୟତ ରତଥ୍ୟ ଉପସ୍ଥାପନ କରିଥିଲେ।ସେହିପରି ପୌରପାଳିକା ପକ୍ଷରୁ ପାରାଦ୍ଵୀପ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ତଥ୍ୟ ପ୍ରଦାନ କରିଥିଲେ।ସମସ୍ତ ବ୍ଲକ୍ ର ବିଡ଼ିଓ, ଦୁଇ ପୌର ନିର୍ବାହୀ ଅଧିକାରୀ, ଡିପିଓ, ଜିପିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ବୈଠକ ପରିଚାଳନା କରିଥିଲେ।
