ବାଲେଶ୍ୱର,୦୯/୦୮/୨୦୨୬ (ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳର ଜଣେ ସୁନା ଦୋକାନୀଙ୍କ କାର ଉପରକୁ ଗୁଳିମାଡ଼ ହୋଇଛି । ହେଲେ ସୁନା ଦୋକାନୀଙ୍କ ଉପରେ ଗୁଳି ବାଜିନାହିଁ । ସେ ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି । ସୁନା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଏହି ଗୁଳିମାଡ଼ ହୋଇଥିଲା । ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ଫାଙ୍କା ଗୁଳି ଫୁଟାଇ ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବରପାଇ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, କୁପାରୀ ବଜାରରେ ଥିବା ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ମାଲିକ ନିଜ କାର୍ ଯୋଗେ ଘରକୁ ଫେରୁଥିଲେ । ୪ଜଣରୁ ଅଧିକ ଦୁର୍ବୃତ୍ତ ଗୋଟିଏ ପଲସର ଓ ଗୋଟିଏ ୟୁନିକର୍ଣ୍ଣ ବାଇକରେ ଆସି ତାଙ୍କ କାର୍ ଉପରକୁ ଗୁଳି ଚଳାଇଥିଲେ । ଗୁଳି ଶବ୍ଦ ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦୁର୍ବୃତମାନେ ୪ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ଲୋକଙ୍କୁ ଭୟଭିତ କରି ଗୋଟିଏ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ଖବରପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଖାଉ କରାଯାଉଥିବା ପୋଲିସ ସୂଚନା ଦେଇଛି ।
