କୁଆଖାଇରେ ଭାସିଗଲେ ଦୁଇ ସାଙ୍ଗ: ଜଣକ ମୃତଦେହ ଠାବ, ଆଉ ଜଣେ ନିଖୋଜ

ଭୁବନେଶ୍ୱର,୦୮/୦୮/୨୦୨୬ (ଓଡ଼ିଶା ସମାଚାର)-କୁଆଖାଇ ନଦୀରେ ଭାସିଯାଇ ଦୁଇ ଜଣ ସାଙ୍ଗ ନିଖୋଜ ହୋଇଯାଇଛନ୍ତି । ବାଲିଅନ୍ତା ଇନ୍ଦ୍ରପାଳ ସାଇମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଅଗ୍ନିଶମ ବାହିନୀ ନଦୀ ମଧ୍ୟରେ ବହୁ ଖୋଜାଖୋଜି କରି ଜଣେ ଯୁବକଙ୍କ ମୃତଦେହକୁ ଠାବ କରିଛି । ହେଲେ ଆଉ ଜଣେ ଯୁବକଙ୍କୁ ଠାବ କରାଯାଇ ପାରିନାହିଁ । ମୃତ ଯୁବକ ହେଲେ ଧଉଳି ଥାନା ଅଂଚ

ଳର ରୁଦ୍ର ନାରାୟଣ ସ୍ୱାଇଁ । ନିଖୋଜ ଥିବା ଯୁବକ ଜଣକ ଲକ୍ଷ୍ମୀସାଗର ଥାନା ଅଂଚଳର ବୋଲି ସୂଚନା ମିଳିଛି । ତାଙ୍କୁ ଠାବ କରିବାକୁ ବାଲିଅନ୍ତା ଅଗ୍ନିଶମ କେନ୍ଦ୍ର ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଛି । ଭୋଜି କରିସାରି ବାସନ ଧୋଉଥିବା ବେଳେ ଯୁବକ ଦ୍ୱୟ ଭାସି ଯାଇଥିଲେ ବୋଲି ଜଣାପଡ଼ିଛି । ନଦୀରେ ପ୍ରବଳ ପାଣି ଥିବା ବେଳେ ପ୍ରଖର ସ୍ରୋତ ଉଭୟଙ୍କୁ ଭସାଇ ନେଇଥିଲା । ପୋଲିସ ସୂଚନା ଅନୁଯାୟୀ, ୪ ଜଣ ଯୁବକ ଭୋଜି କରିବାକୁ କୁଆଖାଇ ନଦୀ ପଠାକୁ ଯାଇଥିଲେ । ସେମାନେ ନଦୀ ପଠା ଜଙ୍ଗଲରେ ଭୋଜି କରିଥିଲେ । ଖାଇ ସାରିବା ପରେ ଅପରାହ୍ନରେ ଜଣେ ଯୁବକ ନଦୀ କୂଳକୁ ଯାଇ ବାସନ ଧୋଉଥିଲେ । ଏହି ସମୟରେ ଅଘଟଣ ଘଟିଥିଲା । ବାଲିରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣି ମଧ୍ୟକୁ ଚାଲିଯାଇ ଥିଲେ ।

ଏହା ଦେଖି ଅନ୍ୟ ଜଣେ ଯୁବକ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ମଧ୍ୟ ପାଣିରେ ଭାସି ଯାଇଥିଲେ । କୂଳରେ ଥିବା ଅନ୍ୟ ଦୁଇ ସାଙ୍ଗ ଓ ସ୍ଥାନୀୟ ଲୋକମାନେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବାଲିଅନ୍ତା ଅଗ୍ନିଶମ କେନ୍ଦ୍ରର ଷ୍ଟେସନ ଅଫିସର ଗୋବିନ୍ଦ ଚନ୍ଦ୍ର ଜେନା କହିଛନ୍ତି, ଖବର ପାଇ ଆମ ଟିମ୍ ସର୍ଚ୍ଚ ଅପରେଶନ ଜାରି ରଖିଛି । ରୁଦ୍ରଙ୍କ ମୃତଦେହକୁ ୩୦ ଫୁଟ ପାଣି ତଳୁ ବହୁ କଷ୍ଟରେ ଉଦ୍ଧାର କରିଥିଲୁ । ଆଉ ଜଣକର ଏଯାଏ ପତା ମିଳିପାରି ନାହିଁ । ବାଲିଅନ୍ତା ପୁଲିସ କହିଛି, ରୁଦ୍ରଙ୍କ ମୃତଦେହକୁ ଜବତ କରାଯାଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ନିଖୋଜ ଥିବା ଯୁବକଙ୍କ ଠିକଣା ଜାଣିବାକୁ ପ୍ରୟାସ ଚାଲିଛି ।

Leave a Reply

Your email address will not be published. Required fields are marked *