ଭୁବନେଶ୍ୱର,୦୮/୦୮/୨୦୨୬ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଦୁଷ୍କର୍ମ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି । ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆଣିଛି । ରୁଦ୍ରକୁ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି । ଅଭିଯୁକ୍ତ ରୁଦ୍ର ଜଣେ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ।
ମାତ୍ର ପରେ ସେ ମହିଳାଙ୍କୁ ଧୋକା ଦେଇଥିଲା । ଏନେଇ ପୀଡ଼ିତା ଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ବହୁ ଖୋଜାଖୋଜି କରିଥିଲା । ପରେ ମହିଳା ଥାନା ପୋଲିସ ରୁଦ୍ରକୁ ଅଗଷ୍ଟ ୧ ରାତିରେ ଭଦ୍ରକରୁ ଗିରଫ କରିଥିଲା । ଅଗଷ୍ଟ ୨ (ରବିବାର) ଦିନ ତାକୁ କୋର୍ଟଚାଲାଣ କରାଯିବ ବୋଲି ପ୍ରସ୍ତୁତି ଚାଲିଥିଲା । ୨ ତାରିଖ ସକାଳ ସାଢେ ୮ଟା ସମୟରେ ରୁଦ୍ର ଟଏଲେଟ୍ ଯିବାକୁ କହିଥିଲା । ଜଗିଥିବା ସେଂଟ୍ରି ତାକୁ ପାଇଖାନା ପର୍ଯ୍ୟନ୍ତ ନେଇଥିଲେ ।
ତେବେ କୌଶଳ କରି ରୁଦ୍ର ଅଚାନକ ପାଇଖାନାରୁ ବାହାରି ଦୌଡ଼ି ପଳାଇଥିଲା । ସେଂଟ୍ରି ଓ ଅନ୍ୟ ପୋଲିସ କର୍ମଚାରୀମାନେ ରୁଦ୍ରକୁ ଧରିବାକୁ ଚାହିଁଥିଲେ ହେଁ, ବିଫଳ ହୋଇଥିଲେ । ମହିଳା ଥାନା ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏଥିପାଇଁ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ଫେରାର ବେଳେ ଡିସିଓ ଦାୟିତ୍ୱରେ ଥିବା ଏଏସଆଇ ତିଳୋତମା ପୃଷ୍ଟି ଓ ସେଂଟ୍ରି ପ୍ରଦୀପ୍ତ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଥିଲା ।
