ଅଘଟଣ ଘଟାଇବା ପୂର୍ବରୁ ମାଡି ବସିଲା ପୁଲିସ

ପିସ୍ତଲ ସହ ୨ ଜୀବନ୍ତ ଗୁଳି ଓ ଖୋକା ଜବତ, ୨ ଗିରଫ

ହିଞ୍ଜିଳିକାଟୁ, ୦୮/୦୮/୨୦୨୬ (ଓଡ଼ିଶା ସମାଚାର)-ଦୁଇ ଯୁବକ ବନ୍ଧୁକ ଧରି କିଛି ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଛି ବେଲଗାଁ ପୁଲିସ । ୨ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୨ଟି ଖୋକା, ରାସାୟନିକ ତରଳ ପଦାର୍ଥ ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ଯୁବକ ଦ୍ୱୟ ହେଲେ ବେଲଗାଁ ଥାନା ଡି. ପାଟପୁର ଗ୍ରାମର ରବି ସେଠି (୩୦) ଓ ଶିବ ଜେନା (୨୪) । ଏଭଳି ଏକ ଘଟଣା ଗଞ୍ଜାମ ଜିଲା ବେଲଗାଁ ଥାନା ଅଂଚଳରେ ଘଟିଛି ।

ପ୍ରକାଶ ଯେ, ଗତ ସନ୍ଧ୍ୟାରେ ବେଲଗାଁ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଡି. ପାଟପୁର ନିକଟବର୍ତୀ ଏକ ପଥରକ୍ୱାରୀ ଓ ଦେଶୀ ମଦ ଦୋକାନ ମଧ୍ୟବର୍ତୀ ରାସ୍ତାରେ ୨ ଯୁବକ କିଛି ଅଘଟଣ ଘଟାଇବା ପାଇଁ ଯୋଜନା କରିବା ସହ ସନ୍ଦିହୀନ ଭାବେ ବୁଲୁଥିଲେ  । ପୁଲିସ ପାଟ୍ରୋଲିଂ ଗାଡିକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲା ପୁଲିସ । ଗିରଫ ୨ ଯୁବକଙ୍କଠାରୁ ଏକ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୨ଟି ଖୋକା, ରାସାୟନିକ ତରଳ ପଦାର୍ଥ ଓ ୨ଟି ମୋବାଇଲ ଫୋନ୍ ଜବତ କରିଥିଲା । ଗିରଫ ୨ ଯୁବକ କେଉଁଠି ଡକାୟତି କରିବାକୁ ଯୋଜନା କରୁଥିଲେ ନା ଅନ୍ୟ କିଛି ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । ଏ ନେଇ ବେଲଗାଁ ଥାନାରେ କେସ ନଂ -୧୧୬/୨୬ରେ ଏକ ମାମଲା ରୁଜୁକରି ଗିରଫ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି । ପ୍ରକାଶ ଥାଉକି, ଗତ କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ପୁଲିସ ବହୁ ବନ୍ଧୁକ ଜବତ କରିବା ସହ ବହୁ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଅସାମାଜିକ ବ୍ୟକ୍ତିଙ୍କ ନିକଟକୁ ଚୋରା ବନ୍ଧୁକ କେଉଁଠାରୁ ଆସୁଛି, କିଏ ଆଣି ଯୋଗାଉଛି ତାହା ତଦନ୍ତ ସାପେକ୍ଷ । ଅନ୍ୟ ପକ୍ଷରେ ଚୋରା ବନ୍ଧୁକ କାରବାରର ଚେର କେଉଁଠାରୁ କେଉଁଠିକି ଲମ୍ବିଛି, ସେ ନେଇ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ୍ ବିସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିବା ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *