୪୦୦୦ କି.ମି. ପର୍ଯ୍ୟନ୍ତ ଶତ୍ରୁଙ୍କୁ ତ୍ରାହି ନାହିଁ
ନୂଆଦିଲ୍ଲୀ/ ଭୁବନେଶ୍ୱର,୦୬/୦୮/୨୦୨୬ (ଓଡ଼ିଶା ସମାଚାର)- ଭାରତ ନିଜର ପରମାଣୁ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ସଶକ୍ତ କରିଛି । ଗୁରୁବାର ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ “ଅଗ୍ନି-୪’ର ସଫଳ ପରୀକ୍ଷଣ କରିଛି । ୬ ଅଗଷ୍ଟ ୨୦୨୬ରେ ଓଡ଼ିଶା ସ୍ଥିତ ଇଂଟିଗ୍ରେଟେଡ୍ ଟେଷ୍ଟିଂ ରେଞ୍ଜ ଚାନ୍ଦିପୁରରୁ ଏହି ମିସାଇଲକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ପରୀକ୍ଷଣରେ ମିସାଇଲର ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ଦିଗକୁ ସଫଳତାର ସହ ଯାଂଚ କରାଯାଇଛି । ଏହି ପରୀକ୍ଷଣ ଷ୍ଟ୍ରାଟେଜିକ ଫୋର୍ସେସ୍ କମାଣ୍ଡ ଦ୍ୱାରା ସମ୍ପନ୍ନ ହୋଇଛି । ଷ୍ଟ୍ରାଟେଜିକ ଫୋର୍ସେସ୍ କମାଣ୍ଡ ଅଧୀନରେ ପରୀକ୍ଷଣର ଅର୍ଥ ହେଉଛି, ଏହି ମିସାଇଲ ଏବେ ସାମରିକ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାର ନିର୍ଭରଯୋଗ୍ୟତା ପ୍ରମାଣିତ ହୋଇସାରିଛି । ଷ୍ଟ୍ରାଟେଜିକ ଫୋର୍ସେସ୍ କମାଣ୍ଡ ଭାରତର ପରମାଣୁ ଅସ୍ତ୍ରଶସ୍ତ୍ରର ପରିଚାଳନା ପାଇଁ ଉତରଦାୟୀ ।
ଅଗ୍ନି-୪ ହେଉଛି ଭାରତର ଅଗ୍ନି ମିସାଇଲ ଶ୍ରେଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ, ଯାହା ପ୍ରାୟ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ । ଚାନ୍ଦିପୁରରୁ କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲ ନିର୍ଦ୍ଧାରିତ ପଥରେ ଉଡ଼ାଣ ଭରିବା ସହ ସମସ୍ତ ନିର୍ଦ୍ଧିଷ୍ଟ ମାନଦଣ୍ଡ ପୂରଣ କରିଥିଲା । ସାମରିକ ଅଧିକାରୀମାନେ ଏହାକୁ ସମ୍ପୂର୍ଣ୍ଣ ସଫଳ ବୋଲି ଘୋଷଣା କରିଛନ୍ତି ।
ଏଭଳି ପରୀକ୍ଷଣ ନିୟମିତ ଭାବେ କରାଯାଇଥାଏ, ଯାହା ଦ୍ୱାରା ମିସାଇଲ ବ୍ୟବସ୍ଥାର ସଠିକତା, ନିର୍ଭରଯୋଗ୍ୟତା ଏବଂ ଯୁଦ୍ଧ କ୍ଷମତା ବଜାୟ ରହେ । ଅଗ୍ନି-୪ର ଏହି ସଫଳ ଉତକ୍ଷେପଣ ଭାରତର ପରମାଣୁ ନିରୋଧକ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
