ବନ୍ୟା ଅଞ୍ଚଳରେ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ

ଯାଜପୁର, ୦୩/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଜିଲ୍ଲାପାଳ ଆଜି ବଡ଼ଚଣା ବ୍ଲକ ଗସ୍ତ କରି ରିଲିଫ,  ଉଦ୍ଧାର କାର୍ଯ୍ୟ ଓ କ୍ଷୟ କ୍ଷତି ଆକଳନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କ ସହିତ ସମୀକ୍ଷା କରିଛନ୍ତି।

ଏହି ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିନତି ସେନାପତି ଯୋଗଦେଇ ବନ୍ୟା ଜନିତ କ୍ଷୟକ୍ଷତି ର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ପଲ୍ଲବୀ ରାଣୀ ରାଜ, ବିଡ଼ିଓ, ତହସିଲଦାର ଓ କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାର ୮ଟି ବ୍ଲକ୍ (ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା) ଏବଂ ଯାଜପୁର ପୌରାଞ୍ଚଳର ୧୧୭ଟି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୪୦୩ଟି ଗ୍ରାମର ପ୍ରାୟ ୩,୯୭,୬୭୮ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ବନ୍ୟା ବିପନ୍ନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ୨୦୯ଟି ସ୍ଥାନାନ୍ତର କେନ୍ଦ୍ର ଖୋଲାଯାଇ ମୋଟ ୭୯,୭୯୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବନ୍ୟା ପୀଡ଼ିତଙ୍କ ଖାଦ୍ୟପେୟ ପାଇଁ ୨୦୫ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର (Free Kitchen Centre) ଖୋଲାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ମୋଟ ୪,୪୪,୩୧୨ ଜଣ (୩,୬୦,୦୦୯ ପ୍ରାପ୍ତବୟସ୍କ ଓ ୮୪,୩୦୪ ଶିଶୁ) ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଜରୁରୀକାଳୀନ ସହାୟତା ସ୍ୱରୂପ ପ୍ରଶାସନ ପକ୍ଷରୁ ବ୍ୟାପକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିମଧ୍ୟରେ ୧୩୦୨.୫୩ କ୍ୱିଣ୍ଟାଲ ଚୁଡ଼ା, ୧୮୧.୩୪ କ୍ୱିଣ୍ଟାଲ ଗୁଡ଼/ଚିନି, ୧୬୮୪ଟି ପଲିଥିନ୍ ରୋଲ୍, ୭୫ କିଗ୍ରା ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ୩୦୦ ପ୍ୟାକେଟ୍ ଦିଆସିଲି ଏବଂ ୩୦୦ ପ୍ୟାକେଟ୍ ମୋମବଲି ସାମିଲ ରହିଛି।

ଏହାବସହ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଯୋଗାଇଦେବା ପାଇଁ ୧୪ଟି ମେଡିକାଲ୍ ଟିମ୍ ଏବଂ ୮ଟି ଭେଟେରିନାରୀ ଟିମ୍‌କୁ ମୁତୟନ କରାଯାଇଛି।ଏହି ବନ୍ୟାରେ ଜିଲ୍ଲାର ପ୍ରାୟ ୨୮,୧୪୬ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ୧,୧୮,୧୯୦ ବଡ଼ ଗୋରୁଗାଈ, ୫୮,୩୩୮ ସାନ ଗୋରୁଗାଈ ଓ ୪୩,୯୪୪ କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ୧ଟି ବଡ଼ ଗୋରୁ, ୬ଟି ଛେଳି/ମେଣ୍ଢା ଏବଂ ୧୦୦୦ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡ଼ିକର ଚୂଡ଼ାନ୍ତ ଆକଳନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି।

ଅପରପକ୍ଷରେ, ବନ୍ୟା ଯୋଗୁଁ ୩୫ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ୧୧ଟି ରାସ୍ତା ଓ ୩ଟି ପୋଲଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍ ଭିତ୍ତିଭୂମିର ୪୨ଟି ଟ୍ରାନ୍ସଫର୍ମର ଓ ଏଲ୍.ଟି ଲାଇନ୍ ନଷ୍ଟ ହୋଇଛି। ଜାରକା ଜଳ ସେଚନ ବିଭାଗ ଅନୁଯାୟୀ, ୨୦ଟି ସ୍ଥାନରେ ଘାଇ ବିପଦ ସୃଷ୍ଟି ହୋଇଥିବା ବେଳେ ୧୦ଟି ନଦୀବନ୍ଧ ଉପରେ ପାଣି ପ୍ରବାହିତ ହୋଇଛି।  ବନ୍ୟାଜଳ ହ୍ରାସ ପାଇବା କ୍ଷଣି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରାଯିବା

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *