କଟକ,୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ରାସ୍ତାରେ ଗାଡ଼ି ଅଟକାଇ ଓ ଲୋକଙ୍କୁ ଧମକ ଚମକ ଦେଇ ଜୋର ଜବରଦସ୍ତି ପୂଜା ଚାନ୍ଦା ଆଦାୟ କରିବା ଅଭିଯୋଗରେ ତିନିଜଣ ଯୁବକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଯୁବକମାନେ ହେଉଛନ୍ତି ଜଗତପୁରର ମା’ ମଙ୍ଗଳାବସ୍ତିର ସରୋଜ ମନ୍ତ୍ରୀ ଓରଫ ଲିଙ୍କୁ, ସତୀଚୌରା ଅଞ୍ଚଳର ସୌମ୍ୟରଞ୍ଜନ ନାୟକ ଓରଫ ଲଡ଼ୁ ଓ ସୋନୁ ନାୟକ ଓରଫ ବାୟା । ଉକ୍ତ ଯୁବକମାନେ ଲୋକଙ୍କୁ ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିବା ନେଇ ପୁଲିସକୁ ଫୋନ୍ ରେ ଅଭିଯୋଗ ମିଳିଥିଲା। ଏହି ଅଭିଯୋଗ ଆଧାରରେ, ଗତକାଲି ରାତିରେ ପୁଲିସ ଟିମ୍ ପହଞ୍ଚି ଉକ୍ତ ତିନି ଯୁବକଙ୍କୁ ପୃଥକ ପୃଥକ ସ୍ଥାନରୁ ଗିରଫ କରିଛନ୍ତି। ସୌମ୍ୟ ଓ ସୋନୁଙ୍କ ବିରୁଦ୍ଧରେ ମର୍କତନଗର ଥାନାରେ ବିଏନ୍ଏସ୍ର ଧାରା ୩୦୯(୬), ୩୨୪(୪), ୩(୫)ରେ ନଂ ୨୯୮/୨୦୨୬ରେ ମାମଲା ରୁଜୁ କରାଯାଇଛି।
କଟକ ପୁଲିସ କମିସନରେଟ୍ ଅଧୀନ ମର୍କତ ନଗର ଥାନା ଓ ଜଗତପୁର ଥାନା ଅଞ୍ଚଳରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ୧୧୨ କିମ୍ବା ୮୨୮୦୩୩୮୩୦୩ରେ ସୂଚିତ କରିବାକୁ କଟକ ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ କରି ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ଆଜି (ସୋମବାର) ଏହି କ୍ରମରେ ରାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏଭଳି ଫ୍ଲାଗ୍ମାର୍ଚ କରାଯାଇଥିଲା।
ଜୋର ଜବରଦସ୍ତି ପୂଜା ଚାନ୍ଦା ଆଦାୟ କରିବା ଅଭିଯୋଗରେ ତିନି ଯୁବକ ଗିରଫ
