କେନ୍ଦ୍ରାପଡ଼ା, ୦୨/୦୮/୨୦୨୬ (ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ପ୍ରଭାବିତ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସହାୟତା ପହାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ।ବରକନ୍ଧା ଗ୍ରାମ ପଂଚାୟତରେ ବନ୍ୟା ଘେରରେ ବିଚ୍ଛିନ୍ନ ହୋଇ ରହିଥିବା ୩ଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ବୋତଲ ବଂଟନ କରାଯାଇଛି ।
ଗଡରୋମିତ ଗ୍ରାମ ପଂଚାୟତରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇ ସେମାନଙ୍କର ତତ୍କାଳୀନ ଖାଦ୍ୟ ଆବଶ୍ୟକତା ପୂରଣ କରାଯାଇଛି ।ଗ୍ରାମାଂଚଳରେ ପଶୁସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ଗରଦପୁର ବ୍ଲକର ସାନନୟନପୁର ଗ୍ରାମରେ ପଶୁମାନଙ୍କ ପାଇଁ ସବୁଜ ପଶୁଖାଦ୍ୟ (ଗ୍ରୀନ୍ ଫୁଡ) ବଂଟନ କରାଯାଇଛି ।ସେହିପରି ମହାକାଳପଡ଼ା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଂଚଳରେ ପଶୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଓ ଗଣ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି ।
ପଶୁମାନଙ୍କୁ ବନ୍ୟା ପରବର୍ତୀ ସଂକ୍ରାମକ ରୋଗରୁ ସୁରକ୍ଷା ଦେବା ସହିତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।ବନ୍ୟା ପ୍ରଭାବିତ ଲୋକମାନଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ବାଟିରା ଗ୍ରାମ ପଂଚାୟତ ଏବଂ ମାର୍ଶାଘାଇ ବ୍ଲକ ସମେତ ବିଭିନ୍ନ ସ୍ଥାନରେ ମାଗଣା ରୋଷେଇ କେନ୍ଦ୍ର (ଫ୍ରି କିଚେନ୍) ନିରନ୍ତର ଚାଲୁ ରହିଛି । ଜିଲା ପ୍ରଶାସନ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କୁ ପାନୀୟ ଜଳ, ଖାଦ୍ୟ, ପଶୁସମ୍ପଦ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ସମୟୋପଯୋଗୀ ଭାବେ ପହଂଚାଇବା ପାଇଁ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛି ।
